ଓଏନଏଲ୍(ବ୍ୟୁୁରୋ) - ନଗଦ କାରବାର ବଦଳରେ ୟୁପିଆଇରେ ଅଧିକାଂଶ ଲୋକଙ୍କ କାରବାର କରିବା ଏବେ ପ୍ରଥମ ପସନ୍ଦ ପାଲଟିଛି । ଟଙ୍କା ଉଠାଇବା ପାଇଁ ଆଉ ଏଟିଏମ୍ ଆଗରେ ଭିଡ଼ ଦେଖିବାକୁ ମିଳୁନି । ମାତ୍ର କେଇ ସେକେଣ୍ଡରେ ହାତ ମୁଠାରେ ମୋବାଇଲ ଖୋଲିଲେ ଗୋଟିଏ ଆକାଉଣ୍ଟରୁ ଆଉ ଏକ ଆକାଉଣ୍ଟକୁ ଚାଲିଯାଉଛି ଟଙ୍କା । ଏପରିକି ଚା’ ଦୋକାନରୁ ଆରମ୍ଭ କରି ପନିପରିବା ଦୋକାନ ଯାଏଁ ସବୁଠି QR କୋଡ୍ ସ୍କାନର୍ ଲାଗିଥିବା ଦେଖିବାକୁ ମିଳୁଛି। ଯାହାଦ୍ୱାରା ଆପଣ ଟଙ୍କା ପୈଠ କରିପାରିବେ।
ଏସବୁ ଭିତରେ ଏହି ୟୁପିଆଇକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ୨୦୨୪ ମସିହାରେ ହୋଇଛି ୟୁପିଆଇ ଟାଞ୍ଜାକ୍ସନରେ ରେକର୍ଡ ସଂଖ୍ୟକ କାରବାର । ୨୦୨୪ ଜାନୁଆରୀରୁ ନଭେମ୍ବର ମଧ୍ୟରେ ୨୨୩ ଲକ୍ଷ କୋଟି ଟଙ୍କାର ୟୁପିଆଇ ଟ୍ରାଞ୍ଜାକ୍ସନ୍ ହୋଇଛି । ୧୫ ହଜାର ୫୪୭ କୋଟି ଟ୍ରାଞ୍ଜାକ୍ସନରେ ୨୨୩ ଲକ୍ଷ କୋଟି ଟଙ୍କା କାରବାର ହୋଇଥିବା ନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି ।
୨୦୨୪ ଅକ୍ଟୋବର ମାସରେ ୧୬୫ କୋଟି ୮୦ ଲକ୍ଷ ଟ୍ରାଞ୍ଜାକ୍ସନ ଓ ୨୩.୫୦ ଲକ୍ଷ କୋଟି ଟଙ୍କାର କାରବାର ପରେ ନଭେମ୍ବରରେ ୟୁପିଆଇ ଟ୍ରାଞ୍ଜାକ୍ସନ ସଂଖ୍ୟା ୧୫୪.୮୦ କୋଟିରେ ପହଞ୍ଚିଛି,ଯାହା ବାର୍ଷିକ ଆଧାରରେ ୩୮ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୬ରେ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ( NPCI) ଦ୍ୱାରା ୟୁପିଆଇ ଆରମ୍ଭ କରାଯାଇଥିଲା । ୟୁପିଆଇ ସହିତ ଏକାଧିକ ମୋବାଇଲ୍ ଆକାଉଣ୍ଟରେ ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ଏକତ୍ର କରି ଅନଲାଇନ୍ ପେମେଣ୍ଟ ସୁବିଧା ଉପଲବ୍ଧ କରାଯାଇଛି। ବଡ଼ କଥା ହେଲା କେବଳ ଭାରତରେ ନୁହେଁ ଭାରତ ବାହାରେ ବି ୟୁପିଆଇର ବ୍ୟବହାର ବଢିବାରେ ଲାଗିଛି । ଏବେ ୟୁଏଇ, ସିଙ୍ଗାପୁର, ଭୁଟାନ, ନେପାଳ, ଶ୍ରୀଲଙ୍କା, ଫ୍ରାନ୍ସ ଓ ମରିସସ ଭଳି ଦେଶରେ ୟୁପିଆଇର ପ୍ରଚଳନ ହେଉଛି।