ଓଏନଏଲ୍(ବ୍ୟୁୁରୋ) - ‘ଏକକ ନିର୍ବାଚନ’ ବିଧେୟକକୁ କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ ମଙ୍ଗଳବାର ଲୋକସଭାରେ ଆଗତ କରିଛନ୍ତି। ଏହି ବିଲକୁ ‘୧୨୯ତମ ସମ୍ବିଧାନ ସଂଶୋଧନ ବିଧେୟକ ୨୦୨୪’ ନାଁରେ ନାମିତ କରାଯାଇଛି । ଏହାପରେ ‘ଓ୍ବାନ ନେସନ ଓ୍ବାନ ଇଲେକ୍ସନ’ ବିଲ୍କୁ ନେଇ ବିତର୍କ ଆରମ୍ଭ ହୋଇଛି।
ଏନଡିଏକୁ ସମର୍ଥନ କରୁଥିବା ନୀତୀଶ କୁମାରଙ୍କ ଜେଡିୟୁ ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଓ ଏକନାଥ ସିନ୍ଦେ (ଶିବସେନା) ଗୋଷ୍ଠୀଙ୍କ ପକ୍ଷରୁ ଏହି ବିଲକୁ ସମର୍ଥନ ଦିଆଯାଇଛି। YRC କଂଗ୍ରେସ ମଧ୍ୟ ଏକ ଦେଶ-ଏକ ନିର୍ବାଚନ ବିଲକୁ ସମର୍ଥନ କରିଥିବାବେଳେ ବିରୋଧୀ କଂଗ୍ରେସର ଓ ସମାଜବାଦୀ ପାର୍ଟି ପକ୍ଷରୁ ବିଲ୍କୁ ଜୋରଦାର ବିରୋଧ କରାଯାଇଛି।
ସୂଚନା ଅନୁଯାୟୀ, ଏହି ବିଲକୁ ୩୨ଟି ଦଳ ସମର୍ଥନ କରିଥିବାବେଳେ ୧୫ଟି ଦଳ ବିଲକୁ ବିରୋଧ କରିଛନ୍ତି। ବିଲ୍କୁ ସଂସଦରେ ଗ୍ରହଣ କରିବାକୁ ଇ-ଭୋଟିଂ ବ୍ୟବସ୍ଥା କରାଯାଇଥିଲା। ଯେଉଁମାନେ ଇ-ଭୋଟିଂ ବ୍ୟବସ୍ଥାକୁ ନେଇ ଅସନ୍ତୁଷ୍ଟଥିଲେ ସେମାନକୁ ତାଙ୍କ ମତ ଦେବା ପାଇଁ ପୁଣି ଥରେ ସୁଯୋଗ ଦିଆଯାଇଥିଲା । ଶେଷରେ ଏହି ବିଲ ସପକ୍ଷରେ ୨୬୯ ଖଣ୍ଡ ଭୋଟ ପଡ଼ିଥିବାବେଳେ ୧୯୮ ଖଣ୍ଡ ଭୋଟ ବିପକ୍ଷରେ ପଡିଛି। ଏହି ଭୋଟିଂ ପ୍ରକ୍ରିୟା ପରେ ଅପରାହ୍ନ ୩ଟା ଯାଏ ଲୋକସଭା ଗୃହକାର୍ଯ୍ୟକୁ ମୁଲତବି କରିଛନ୍ତି ବାଚସ୍ପତି ଓମ୍ ବିର୍ଲା।