ଓଏନଏଲ୍(ବ୍ୟୁୁରୋ) - ଢେଙ୍କାନାଳରେ ସୋଲାର ଏନର୍ଜି କମ୍ପାନୀ ୱାରୀ ଏନର୍ଜି ଲିମିଟେଡ୍ ତରଫରୁ ରାଜ୍ୟର ପ୍ରଥମ ସୌରଶକ୍ତି କାରଖାନା ପ୍ରତିଷ୍ଠା କରାଯିବ । ଏନେଇ ସୋମବାର ଢେଙ୍କାନାଳ ସଦର ବ୍ଲକର ନେଉଳପୋଇ ଠାରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି କାରଖାନାର ଭୂମି ପୂଜନ କରିଥିଲେ । ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି, ଏହି ସୋଲାର ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିବା ସହ ଅଞ୍ଚଳର ଉନ୍ନତି ଓ ବିକାଶ ହେବ । ଜିଲ୍ଲାର ବିକାଶ ହେଲେ ରାଜ୍ୟର ବିକାଶ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିକଶିତ ଓଡ଼ିଶାର ସ୍ୱପ୍ନକୁ ପୂରଣ କରିବା ପାଇଁ ଏହା ଏକ ପ୍ରୟାସ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଜିଳ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ ଯେ, ଏହି ପ୍ଲାଣ୍ଟ ସ୍ଥାପନ ପାଇଁ ଗତ ୨୦୨୨ ମସିହା ସେପ୍ଟେମ୍ବର ମାସରେ ଓଡ଼ିଶା ସରକାର କମ୍ପାନୀ ସହ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ଢେଙ୍କାନାଳର ସଦର ବ୍ଲକ ନେଉଳ ପୋଇଠାରେ ପ୍ରତିଷ୍ଠା ହେବାକୁ ଥିବା ଏହି କାରଖାନାରେ ୨୫ ହଜାର କୋଟି ଟଙ୍କା ନିବେଶ କରାଯିବ । କମ୍ପାନୀ ୬ ଗିଗା ୱାଟ ସୋଲାର ଏନର୍ଜି ଉତ୍ପାଦନ କରିବା ସହ ସୋଲାର ପ୍ୟାନେଲ, ମଡ୍ୟୁଲ ଆଦି ସୋଲାର ସାମଗ୍ରୀ ପ୍ରସ୍ତୁତ କରିବ । ଏହି କାରଖାନାରେ ପାଖାପାଖି ୧୪ ହଜାର କର୍ମଚାରୀଙ୍କୁ ନିଯୁକ୍ତି ମିଳିବ । ଆଗାମୀ ୯ ମାସ ମଧ୍ୟରେ ଉତ୍ପାଦନ ଆରମ୍ଭ ହେବ ବୋଲି କମ୍ପାନୀର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।