ଓଏନଏଲ୍(ବ୍ୟୁୁରୋ) - ନୂଆ ବର୍ଷରୁ ରେଳ ଯାତ୍ରୀଙ୍କୁ ଲାଗିବ ଝଟ୍କା। କାରଣ ଜାନୁଆରୀ ପହିଲାରୁ ମହଙ୍ଗା ହେବ ରେଳ ଭଡ଼ା। ତେବେ ଶୀତତାପ ନିୟନ୍ତ୍ରିତ ଶ୍ରେଣୀ (AC) ଶ୍ରେଣୀର ରେଳ ଭଡ଼ାରେ ହେବ ବୃଦ୍ଧି। ରେଳ ଉପାରେ ଗଠିତ ସଂସଦୀୟ ଷ୍ଟାଣ୍ଡିଂ କମିଟି ଏହି ପ୍ରସ୍ତାବ ଦେଇଛି। ଅପରପକ୍ଷେ ସାଧାରଣ ଶ୍ରେଣୀର ଯାତ୍ରୀ ଭଡ଼ାରେ କୌଣସି ବୃଦ୍ଧି ହେବ ନାହିଁ। ଅର୍ଥାତ୍ ଏହି ଶ୍ରେଣୀର ଭଡ଼ା ଅପରିବର୍ତ୍ତିତ ରହିବ। ଯାତ୍ରୀ ଶ୍ରେଣୀରେ ବୃଦ୍ଧି ପାଉଥିବା କ୍ଷତି ହ୍ରାସ କରିବାକୁ ଉପରୋକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି।
ସଂସଦୀୟ ଷ୍ଟାଣ୍ଡିଂ କମିଟି ଦେଇଥିବା ପରାମର୍ଶ ଅନୁଯାୟୀ, ରେଳବାଇର ଯାତ୍ରୀ ଶ୍ରେଣୀରେ କ୍ଷତି ବଢ଼ିବାରେ ଲାଗିଛି। ଏଥିପାଇଁ ଏସି ଶ୍ରେଣୀ ଭଡ଼ାର ସମୀକ୍ଷା କରିବାକୁ କମିଟି କହିଛି। ତେବେ କମିଟି ସାଧାରଣ ବର୍ଗରେ ଯାତ୍ରୀଙ୍କୁ ସୁଲଭ ମୂଲ୍ୟରେ ଯାତ୍ରା ସୁବିଧା ଦେବାକୁ ମଧ୍ୟ କହିଛି। ବିଜେପି ସାଂସଦ ସିଏମ ରମେଶଙ୍କ ନେତୃତ୍ୱରେ ଗଠିତ ସଂସଦୀୟ କମିଟି ୨୦୨୪-୨୫ ଆର୍ଥିକବର୍ଷର ବଜେଟ୍ରେ ମାଲ ପରିବହନରୁ ଆୟ ୧.୮ ଲକ୍ଷ କୋଟି ହେବ ବୋଲି ଆକଳନ କରିଛି।
ତେବେ ଏହା ତୁଳନାରେ ଯାତ୍ରୀ ଶ୍ରେଣୀରୁ ରାଜସ୍ୱ ମାତ୍ର ୮୦,୦୦୦ କୋଟି ଟଙ୍କା ହେବ। ଏଭଳି ସ୍ଥିତିରେ ଏସି ଶ୍ରେଣୀରେ ଭଡା ବୃଦ୍ଧି କରିବାକୁ କମିଟି ପରାମର୍ଶ ଦେଇଛି। ଏହାବ୍ୟତୀତ ରେଳବାଇର ଘରୋଇକରଣକୁ ନେଇ ଲୋକସଭାରେ ତୀବ୍ର ବିତର୍କ ପରେ ସଂସଦୀୟ ଷ୍ଟାଣ୍ଡିଂ କମିଟି ପରାମର୍ଶ ଦେଇଛି ଯେ ଭାରତୀୟ ରେଳବାଇ ଏହାର ଭିତ୍ତିଭୂମିରେ ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ବୃଦ୍ଧି କରିବାକୁ ଚିନ୍ତା କରୁଛି।