ଓଏନଏଲ୍(ବ୍ୟୁୁରୋ) - ବିଗତ କିଛିଦିନ ଧରି ଆପାର୍ଟମେଣ୍ଟ ଲୁଟ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ସିରିଜ ଲୁଟ୍ ଘଟଣା କମିଶନରେଟ ପୋଲିସ ପାଇଁ ସୃଷ୍ଟି କରିଥିଲା ବଡ଼ ଚ୍ୟାଲେଞ୍ଜ । ଏସବୁକୁ ନଜରରେ ରଖି ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୁଲିସର ୧୫୦ ବଛାବଛା ପୋଲିସ କର୍ମଚାରୀଙ୍କୁ ନେଇ ହୋଇଛି ଆଣ୍ଟି ବର୍ଗଲାରୀ ସ୍କ୍ବାଡ । ଭୁବନେଶ୍ବର ଡିସିପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶରେ ଗଠନ ହୋଇଥିବା ଟିମରେ କିଛି ବନ୍ଧୁକଧାରୀ ଅଫିସର ମଧ୍ୟ ରହିଛନ୍ତି । ରାଜଧାନୀ ଉପକଣ୍ଠରେ ପଇଁତରା ମାରୁଛି ଆଣ୍ଟି ବର୍ଗଲାରୀ ସ୍କ୍ବାଡ। ରାତିତମାମ ଚେକିଂ ବ୍ଳକିଂ ସହ ବିଭିନ୍ନ ସ୍ଥାନରେ ନାକା ବନ୍ଦୀ କରୁଛି ଏହି ଟିମ ।
ଏଥି ପାଇଁ ଭୁବନେଶ୍ବରରେ ଥିବା ସମସ୍ତ ଥାନାର ଥାନାଧିକାରୀଙ୍କୁ ନେଇ ଏକ ୱାଟ୍ସଆପ୍ ଗ୍ରୁପ ମଧ୍ୟ ଗଠନ ହୋଇଛି । ନିଜେ ଡିସିପି ଏହି ଗ୍ରୁପର ଆଡମିନ ରହିଛନ୍ତି। ଆପାର୍ଟମେଣ୍ଟର ସଭାପତି ଓ ସେକ୍ରେଟାରୀ ମଧ୍ୟ ଏହି ଗ୍ରୁପରେ ରହିଛନ୍ତି । ଅଚିହ୍ନା ଲୋକଙ୍କ ଚଳପ୍ରଚଳ ଓ ସନ୍ଦିଗ୍ଧ ଗାଡି ଦେଖିଲେ ତୁରନ୍ତ ପହଞ୍ଚୁଛି ପୁଲିସ । ଯେଉଁ ଆପାର୍ଟମେଣ୍ଟର ସିସିଟିଭି କାମ କରୁନାହିଁ, ସେନେଇ ତୁରନ୍ତ ଭୁବନେଶ୍ୱର ଡିସିପିଙ୍କୁ ଜଣାଉଛି ସ୍କ୍ବାଡ଼ । ଏହି ଅପରେସନ ବେଳେ କିଛି ସନ୍ଦିଗ୍ଧଙ୍କୁ ମଧ୍ୟ କାବୁ କରିଛି ସ୍କ୍ବାଡ଼। ଯେଉଁମାନେ ଦିନରେ ମଜୁରିଆ ଭାବେ କାମ କରିବା ସହ ରାତିରେ ଲୁଟ ପାଟ କରୁଥିବା ଖବର ପାଇଛି ପୁଲିସ । ଆଉ କିଛି ସ୍ଥାନରେ ଆନ୍ତଃରାଜ୍ୟ ଲୁଟେରାଙ୍କ ସନ୍ଧାନ ପାଇଥିବା ଭୁବନେଶ୍ବର ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।