ଓଏନଏଲ୍(ବ୍ୟୁୁରୋ) - ନେପାଳ ସୀମାନ୍ତ ତିବ୍ବତରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୧୨୦କୁ ବୃଦ୍ଧି ପାଇଛି । ମଙ୍ଗଳବାର ସକାଳୁ ଏକ ବଡ଼ ଧରଣର ଭୂକମ୍ପ ହୋଇଛି । ଯାହାର ତୀବ୍ରତା ରିକ୍ଟର୍ ସ୍କେଲରେ ୭.୧ ରହିଥିଲା । ଏହା ଏତେ ଶକ୍ତିଶାଳୀ ଥିଲା ଯେ ଭାରତ, ନେପାଳ, ବାଂଲାଦେଶର ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।
ସକାଳ ପ୍ରାୟ ୬ ଟା ୩୫ରେ ପ୍ରଥମ ଭୂକମ୍ପ ହୋଇଥିଲା ଯାହାର ତୀବ୍ରତା ରିକ୍ଟର୍ ସ୍କେଲରେ ଥିଲା ୭.୧ । ଯାହାର କେନ୍ଦ୍ର ସ୍ଥଳ ତିବ୍ବତର ଶିଗାତ୍ସେ ସହରରେ ରହିଥିଲା । ସେହିପରି ୭ଟା ୨ ମିନିଟ୍ ରେ ୪.୭ ତୀବ୍ରତାର ଦ୍ୱିତୀୟ ଝଟକା ଲାଗିଥିଲା । ୭ଟା ୭ ମିନିଟରେ ୪.୯ ତୀବ୍ରତାର ତୃତୀୟ ଝଟକା ଲାଗିଥିଲା । ମାତ୍ର ଏକ ଘଣ୍ଟା ମଧ୍ୟରେ ଲଗାତର ୫ ରୁ ୬ ଥର ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଏହା ଏତେ ଶକ୍ତିଶାଳୀ ଥିଲା ଯେ ମାତ୍ର ୧୭ ସେକେଣ୍ଡ ମଧ୍ୟରେ ବଡ଼ ବଡ଼ କୋଠା ଭୁଷୁଡ଼ି ପଡ଼ିଛି ।
ନେପାଳର କାଠମାଣ୍ଡୁ ଏବଂ ଭାରତରେ ମଧ୍ୟ କେତେକ ରାଜ୍ୟ ଏହି ଭୂକମ୍ପରେ ଥରି ଉଠିଥିବା ଜଣାପଡ଼ିଛି । ବିହାର (ପାଟନା, ମୁଜାଫରପୁର, ସମସ୍ତୀପୁର, ମୋତିହାରୀ, ବେଗୁସରାୟ, ମୁଙ୍ଗେର, ଶିବହର ଓ ସାରଣ), ପଶ୍ଚିମବଙ୍ଗର ମାଲଦା ଏବଂ ଆସାମ, ସିକିମ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ଜଣାପଡ଼ିଛି । ଭୟରେ ଲୋକମାନେ ବାହାରକୁ ଦୌଡ଼ି ପଳାଇ ଆସିଥିଲେ । ମାତ୍ର ଭାରତରେ କାହାର କୌଣସି କ୍ଷତି ହୋଇ ନ ଥିବା ଜଣାପଡ଼ିଛି ।
ଏବେ ମଧ୍ୟ ଭଗ୍ନାବଶେଷ ତଳେ ଅନେକ ଚାପି ହୋଇ ରହିଥିବା ସୂଚନା ମିଳିଛି। ଫଳରେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।