Please wait...

Trending Now
  • GST ଆଇନ ଅଧୀନରେ ଗିରଫଦାରୀ ସମ୍ପର୍କରେ ତଥ୍ୟ ଦାଖଲ ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ମେ ୯ରେ ପରବର୍ତ୍ତୀ ଶୁଣାଣି
  • ସମସ୍ତ ରାଜ୍ୟରେ ଯାଞ୍ଚ କରାଯିବ MDH ଓ ଏଭରେଷ୍ଟ ମସଲା
  • ଓଡ଼ିଶା ଆସିବେ କେନ୍ଦ୍ର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
  • ବିରୋଧୀ ଦଳକୁ ଶାସକ ଦଳର ବିରୋଧୀ ନୁହନ୍ତି ବରଂ ବିକାଶ ବିରୋଧୀ : କାର୍ତ୍ତିକ ପାଣ୍ଡିଆନ
  • ରୀତିନୀତି ବିନା ହିନ୍ଦୁ ବିବାହ ଅବୈଧ, ପଞ୍ଜୀକରଣ ଯଥେଷ୍ଟ ନୁହେଁ : ସୁପ୍ରିମକୋର୍ଟ
Sunday, May 5, 2024
Published on: Sunday, April 21, 2024
Odisha

ମୋବାଇଲ୍‌କୁ ଆସୁଛି କି ନକଲି ଇ-ଚାଲାଣ ! ସତର୍କ କରାଇଲା ପରିବହନ ବିଭାଗ, ଟଙ୍କା ପୈଠ କରିବା ପୂର୍ବରୁ ଲିଙ୍କ୍‌ ଯାଞ୍ଚ କରିବାକୁ ଅନୁରୋଧ


ଭୁବନେଶ୍ୱର(ବ୍ୟୁରୋ) - ଲୋକଙ୍କୁ ଠକିବାକୁ ନୂଆ ଯୋଜନା କରିଛନ୍ତି ସାଇବର୍ ଠକ। ପରିବହନ ବିଭାଗର ୱେବ୍‌ସାଇଟ୍‌ ଭଳି ଅବିକଳ ଦେଖାଯାଉଥିବାରୁ ସାଧାରଣ ଲୋ‌କେ ସାଇବର୍‌ ଠକଙ୍କ କରାମତିକୁ ସହଜ‌ରେ ଠଉରାଇ ପାରୁନାହାନ୍ତି। ସାଇବାର ଠକମାନେ
ଇ-ଚାଲାଣ ପୈଠ ପାଇଁ ଏକ ନକଲି ୱେବ୍‌ସାଇଟ୍ ଖୋଲି ଲୋକଙ୍କୁ ଚୂନ ମାରୁଛନ୍ତି। ଏହି ଘଟଣା ପଦାକୁ ଆସିବା ପରେ ପରିବହନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି। ଏ ସଂପର୍କରେ ବିଭାଗ ପକ୍ଷରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦିଆଯିବା ସହ ସଚେତନତା ସୃଷ୍ଟି କରାଯାଇଛି।

ସୂଚନାନୁଯାୟୀ, ଠକ ଏବେ ଲୋକଙ୍କ ମୋବାଇଲ୍‌କୁ ମେସେଜ୍‌ କରୁଛନ୍ତି। ସେଥିରେ ଦର୍ଶାଯାଉଛି ଯେ ଆପଣଙ୍କ ଗାଡ଼ି ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ କରିଥିବାରୁ ୫୦୦ ଟଙ୍କାର ଚାଲାଣ କଟା ଯାଇଛି। ଅନଲାଇନ ମାଧ୍ୟମରେ ଚାଲାଣ ପୈଠ କରିବା ପାଇଁ http://echallanparivahan.in/ ଲିଙ୍କରେ କ୍ଲିକ କରନ୍ତୁ, ନଚେତ ଆରଟିଓ ଅଫିସ ସହିତ ଯୋଗାଯୋଗ କରନ୍ତୁ। ତେବେ ଯେଉଁମାନେ ଆଗପଛ ବିଚାର ନ କରି ଏହି ଲିଙ୍କ୍‌ ଖୋଲୁଛନ୍ତି, ସେମାନେ ଠକେଇର ଶିକାର ହେଉଛନ୍ତି।

ଟ୍ରାଫିକ ଇ- ଚାଲାଣକୁ ନେଇ ଏଭଳି ନୂଆ ଠକେଇ ସାମ୍ନାକୁ ଆସିବା ପରେ ଏଥିରେ ରୋକ୍‌ ଲଗାଇବା ପାଇଁ ଜନସାଧାରଣ ସତର୍କ ରହିବାକୁ ପରିବହନ ବିଭାଗ ସଚେତନ କରିଛି। କୌଣସି ଲିଙ୍କ୍ ଉପରେ କ୍ଲିକ୍ କରିବା ପୂର୍ବରୁ ତାହାକୁ ଠିକ୍ ଭାବେ ପରଖିବାକୁ କୁହାଯାଇଛି। ସାଇବର ଠକ ପଠାଉଥିବା http://echallanparivahan.in/ ଲିଙ୍କଟି ବିଭାଗର ନୁହଁ ବୋଲି ବିଭାଗ ସ୍ପଷ୍ଟ କରିଛି। ବିଭାଗର ୱେବ୍‌ସାଇଟ୍‌ ଲିଙ୍କ୍‌ http://echallan.parivahan.gov.in/ ବୋଲି ‘ଏକ୍ସ’ରେ ସୂଚନା ଦିଆଯାଇଛି।

Recent News
Copyright © 2024 ODISHANEWSLIVE.COM. All rights reserved.