ଓଏନଏଲ୍(ବ୍ୟୁୁରୋ) - ଜନଜାତି ଛାତ୍ରଛାତ୍ରୀଙ୍କୁ ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଭେଟି । 'ସହିଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା'ରେ ଜନଜାତି ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଶିକ୍ଷା ବର୍ଷରେ ଏକକାଳୀନ ୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜାନୁଆରୀ ୫ ତାରିଖରୁ ଏହି ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ଏହି ପ୍ରୋତ୍ସାହନ ରାଶି ମିଳିବ ।
ରାଜ୍ୟ ସରକାର ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କ ଡ୍ରପ୍ ଆଉଟ ହାର ହ୍ରାସ କରିବା ପାଇଁ 'ସହିଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା' ୨୦୨୫ ଜାନୁଆରୀ ୫ ତାରିଖରେ ଆରମ୍ଭ କରିବାକୁ ଯାଉଛନ୍ତି । ଏଥିରେ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇ ଥିବା ଛାତ୍ରଛାତ୍ରୀମାନଙ୍କୁ ବାର୍ଷିକ ୫ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ମୋହନ ସରକାର । ସେହିପରି ସହିଦ ଲକ୍ଷ୍ମଣ ନାୟକ ବିଦ୍ୟାଳୟ ରୂପାନ୍ତରଣ କାର୍ୟ୍ୟକ୍ରମରେ ୭୦୫ଟି ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟରେ ପରିଣତ କରିବା ପାଇଁ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର ।
ଲୋକସେବା ଭବନରେ ନବଗଠିତ ଜନଜାତି ଉପଦେଷ୍ଟା ପରିଷଦର ପ୍ରଥମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଜନଜାତିଙ୍କୁ ସବୁ କ୍ଷେତ୍ରରେ ନ୍ୟାୟ ମିଳିବା ଏବଂ ସେମାନଙ୍କ ଅଧିକାରକୁ ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ହୋଇ କାମ କରୁଛନ୍ତି । ଏହି ଜନଜାତି ଉପଦେଷ୍ଟା ପରିଷଦରେ ଆଗାମୀ ୨ ବର୍ଷ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ । ଓ.ଆର୍.ଭି ଆଇନରେ ଅନୁସୂଚିତ ଜନଜାତି ଓ ଜାତି ପିଲାମାନେ ଯେପରି ନ୍ୟାୟ ପାଇବେ ଏବଂ ଜନଜାତିଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।