ଓଏନଏଲ୍(ବ୍ୟୁୁରୋ) - ଆସନ୍ତା ୨୩ ତାରିଖରୁ ୩ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସୁଛନ୍ତି। ସୂଚନାଯୋଗ୍ୟ ଯେ, ଗତ ୨୩ ତାରିଖରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଓ ବାଙ୍ଗିରିପୋଷିରେ ରାଷ୍ଟ୍ରପତିଙ୍କ ଏକାଧିକ କାର୍ଯ୍ୟକ୍ରମ ରହିଛି। ପରଦିନ ପୁରୀକୁ ଯାଇ ମହାପ୍ରଭୁ ଜଗନ୍ନାଥ ଦର୍ଶନ କରିବେ ମହାମହିମ। ୨୫ ତାରିଖରେ ଭୁବନେଶ୍ୱର ୩ଟି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀରେ ରହିଛି।ଏହି କ୍ରମରେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୋଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲୁ ବୁକ ଅନୁସାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ।
ସମୀକ୍ଷା ବୈଠକର ନିଷ୍ପତ୍ତି ଅନୁସାରେ ୩ଟି ଜିଲ୍ଲାରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ଥିବାରୁ ସୁରକ୍ଷା ଦାୟିତ୍ୱରେ ୧୧୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରାଯିବ। ଏଥିସହ ୫୦୦ ବରିଷ୍ଠ ପୋଲିସ ଅଧିକାରୀ, ଓଡ୍ରାଫ ଟିମ୍, ସ୍ପେଶାଲ ଟ୍ରାକ୍ଟିକାଲ ୟୁନିଟ୍ ମଧ୍ୟ ମୁତୟନ କରାଯିବ। ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବାକୁ ୩ ଜଣ ଏଡିଜି ପାହ୍ୟାର ଅଧିକାରୀ ନିୟୋଜିତ ହେବ। ଅନୁରୂପ ଭାବେ ରାଜଧାନୀରେ ୪୦ ପ୍ଲାଟୁନ ପୋଲିସ ଫୋର୍ସ ସହ କାର୍ଯ୍ୟସୂଚୀର ପ୍ରତିସ୍ଥାନରେ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯିବ। ଏହି ସମୀକ୍ଷା ବୈଠକରେ ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର, ଏଡିଜି(କୋଷ୍ଟଗାର୍ଡ) ଅରୁଣ ବୋଥ୍ରା, ଏଡିଜି (ଆଧୁନୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ, ପୋଲିସ କମିସନର ଦେବଦତ୍ତ ସିଂ, ଅତିରିକ୍ତ ପୋଲିସ କମିସନର ଉମାଶଙ୍କର ଦାଶ ଓ ଭୁବନେଶ୍ବର ଡିସିପି ପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।