ଓଏନଏଲ୍(ବ୍ୟୁୁରୋ) - କୋଭିଡ୍-୧୯ ଟିକା ‘କୋଭିସିଲ୍ଡ’ ଦ୍ବାରା ଷ୍ଟ୍ରୋକ୍ ଓ ହୃଦଘାତ ଭଳି ଘାତକ ପାର୍ଶ୍ଵ ପ୍ରତିକ୍ରିୟା ସୃଷ୍ଟି ହୋଇପାରେ। ପ୍ରଥମ ଥର ପାଇଁ କୋଭିସିଲ୍ଡ ଟିକା ପ୍ରସ୍ତୁତକାରୀ କମ୍ପାନୀ ଆଷ୍ଟ୍ରାଜେନେକା ଏହା ସ୍ୱୀକାର କରିଛି । କମ୍ପାନୀ ଦ୍ବାରା ପ୍ରସ୍ତୁତ କୋଭିଡ-୧୯ ଟିକା ଦ୍ବାରା ଶରୀରରେ ଟିଟିଏସ୍ ପରି ବିରଳ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ। ଟିଟିଏସ୍ ଅର୍ଥାତ୍ ଥ୍ରୋମ୍ବୋସାଇଟୋପେନିଆ ସିଣ୍ଡ୍ରୋମ ଶରୀରରେ ରକ୍ତ ଜମାଟର କାରଣ ହୋଇପାରେ।
ବ୍ରିଟେନର ହାଇକୋର୍ଟରେ ଦାଖଲ ଦସ୍ତାବିଜରେ ଆଷ୍ଟ୍ରାଜେନେକା ନିଜ କୋଭିଡ୍-୧୯ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ସମ୍ଭାବନାକୁ ସ୍ୱୀକାର କରିଛି। ଭାରତରେ କୋଭିଡ-୧୯ ଟିକାକରଣ ଅଭିଯାନରେ ‘କୋଭିସିଲ୍ଡ’ ନାମରେ ଆଷ୍ଟ୍ରୋଜେନେକା ଦ୍ବାରା ପ୍ରସ୍ତୁତ ଟିକାର ବହୁଳ ବ୍ୟବହାର ହୋଇଥିଲା । ବଡ଼ କଥା ହେଲା ଭାରତୀୟ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଆଷ୍ଟ୍ରାଜେନେକା ଠାରୁ ଲାଇସେନ୍ସ ଆଣି ଦେଶରେ ଏହି ଟିକା ଉତ୍ପାଦନ କରିଥିଲା । ଏହା କେବଳ ଭାରତର କୋଭିଡ୍ ଟୀକାକରଣ ଅଭିଯାନରେ ବ୍ୟବହୃତ ହୋଇନଥିଲା, ବରଂ ବିଶ୍ବର ଅନେକ ଦେଶକୁ ମଧ୍ୟ ରପ୍ତାନି କରାଯାଇଥିଲା। କୋଭିସିଲ୍ଡ ବ୍ୟତୀତ ଏହି ଟିକା ଅନେକ ଦେଶରେ ‘ଭାକ୍ସଜେଭ୍ରିଆ’ ବ୍ରାଣ୍ଡରେ ବିକ୍ରି ହୋଇଥିଲା ।
ଜାମି ସ୍କଟ୍ ନାମକ ଜଣେ ବ୍ୟକ୍ତି ଆଷ୍ଟ୍ରାଜେନେକା ବିରୋଧରେ ଏହି ମାମଲା ଦାୟର କରିଥିଲେ। ଏହି କମ୍ପାନୀର କୋଭିଡ୍ ଟିକା ନେବାପରେ ତାଙ୍କ ବ୍ରେନ୍ ଡାମେଜ୍ ହୋଇଥିଲା ବୋଲି ସେ ଅଭିଯୋଗ କରିଥିଲେ। ଏହି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ନେଇ ଆହୁରି ଅନେକ ଲୋକ ମଧ୍ୟ ଆଷ୍ଟ୍ରାଜେନେକା ବିରୋଧରେ କୋର୍ଟରେ ଅଭିଯୋଗ କରିବା ସହ କ୍ଷତିପୂରଣ ଦାବି କରିଥିବା ଜଣାପଡ଼ିଛି ।