ଓଏନଏଲ୍(ବ୍ୟୁୁରୋ) - ବିଶ୍ୱର ସବୁଠାରୁ ବ୍ୟୟବହୁଳ ଫ୍ରାଞ୍ଚାଇଜଭିତ୍ତିକ ଟି-୨୦ କ୍ରିକେଟ୍ ପ୍ରତିଯୋଗିତା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଆଗାମୀ ଅଷ୍ଟାଦଶ ସଂସ୍କରଣ ଲାଗି ମେଗା ଖେଳାଳି ନିଲାମୀରେ ଋଷଭ ପନ୍ତ ସବୁ ରେକର୍ଡ ଭାଙ୍ଗି ଦେଇଛନ୍ତି। ନିଲାମରେ ଋଷଭ ପନ୍ତ ରେକର୍ଡ କରିବା ସହ ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି। ଋଷଭ ପନ୍ତଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ ରେକର୍ଡ ୨୭ କୋଟି ଟଙ୍କା ବଳରେ କିଣିଛି। ଦିଲ୍ଲୀ କ୍ୟାପିଟାଲ୍ସ ପନ୍ତଙ୍କୁ ମେଗା ଅକ୍ସନ ପୂର୍ବରୁ ରିଲିଜ କରି ଦେଇଥିଲା। ଆଜି କିନ୍ତୁ ଆରଟିଏମ ବଳରେ ଦିଲ୍ଲୀ ପନ୍ତଙ୍କୁ ନେବାକୁ ଚାହିଁଥିଲା। ହେଲେ ଲକ୍ଷ୍ନୌ ଶେଷ ବିଡ୍ରେ ପନ୍ତଙ୍କ ଉପରେ ୨୭ କୋଟି ଟଙ୍କାର ବୋଲି ଲଗାଇଥିଲା।ଏହି ଟଙ୍କାକୁ ଅତିକ୍ରମ କରିବାକୁ ଦିଲ୍ଲୀ ସାହାସ ଦେଖାଇ ନଥିଲା। ଶେଷରେ ବେଶ ନାଟକୀୟ ଢଙ୍ଗରେ ସମସ୍ତଙ୍କୁ ଚକିତ କରି ଲକ୍ଷ୍ନୌ ରେକର୍ଡ ୨୭ କୋଟିରେ ପନ୍ତଙ୍କୁ ନିଜ ସହ ସାମିଲ କରିଛି।
ତେବେ ଋଷଭ ପନ୍ତ ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ହେବା ପାଇଁ ଶ୍ରେୟସ ଆୟରଙ୍କ ରେକର୍ଡ ଭାଙ୍ଗିଛନ୍ତି। ନିଲାମ ଆରମ୍ଭରେ ଶ୍ରେୟସ ଆୟରଙ୍କୁ ପଞ୍ଜାବ ରେକର୍ଡ ୨୬. ୭୫ କୋଟି ଟଙ୍କାରେ କିଣିଥିଲା। ଆୟରଙ୍କ ପୂର୍ବରୁ ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳି ହେବାର ରେକର୍ଡ ମିଚେଲ ଷ୍ଟାର୍କଙ୍କ ନାଁରେ ରହିଥିଲା। ତାଙ୍କୁ କୋଲକାତା ୨୦୨୪ ଅକ୍ସନ ବେଳେ ୨୪.୭୫ କୋଟି ଟଙ୍କାରେ କିଣିଥିଲା। ହେଲେ ୨୦୨୫ ମେଗା ଅକ୍ସନରେ ଶ୍ରେୟସ ଆୟର ତାଙ୍କୁ ପଛରେ ପକାଇ ଦେଇଥିଲେ। ଏବେ ପନ୍ତ ସାଥୀ ଖେଳାଳି ଆୟରଙ୍କ ମହଙ୍ଗା ରେକର୍ଡକୁ ଭାଙ୍ଗି ଦେଇଛନ୍ତି।
ଋଷଭ ପନ୍ତ ସମସ୍ତ ତିନୋଟି ଫର୍ମାଟରେ ଏକ ବଡ଼ ଖେଳାଳୀ ଏବଂ ଦୀର୍ଘ ସମୟ ଧରି ଅଧିନାୟକତ୍ୱ କରିବାର ଅଭିଜ୍ଞତା ମଧ୍ୟ ଅଛି | ପନ୍ତ ୨୦୧୬ ଠାରୁ ୧୧୧ ଆଇପିଏଲ୍ ମ୍ୟାଚ୍ ଖେଳିଛନ୍ତି ଏବଂ ଆଠଥର ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିଛନ୍ତି ।