logo
logo
add image
news image

ଅଖଣ୍ଡ ଓଡ଼ିଶା ଗଠନ ତଥା ସୀମା ଅଭିଯାନର ସଂକଳ୍ପ ନେଲେ ଗଣ ସଙ୍ଗଠନ, ଓଡ଼ିଶାର ସୀମାନ୍ତବର୍ତ୍ତୀ ଅଞ୍ଚଳ ଅଭିମୁଖେ ଯାତ୍ରା ଆରମ୍ଭ

ଓଡ଼ିଶା ନାଗରିକ ମହାମଞ୍ଚ,କଳିଙ୍ଗ ପାଇକ ସଙ୍ଗଠନ, ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଜନଚେତନା ପରିଷଦ ପ୍ରଭୃତି ଗଣ ସଙ୍ଗଠନ ମାନେ ସମ୍ମିଳିତ  ଭାବେ ସୀମା ଅଭିଯାନରେ ଆଜି(ଶୁୁକ୍ରବାର) ପୂର୍ବାହ୍ନ ୧୧ ଟା ସମୟରେ ମହାମଞ୍ଚ କାର୍ଯ୍ୟାଳୟରୁ ଶୁଭାରମ୍ଭ କରିଛନ୍ତି । ପ୍ରତିନିଧି ମଣ୍ଡଳୀ ସଂସ୍କାରକ ଶ୍ରୀବତ୍ସ ପଣ୍ଡା ଙ୍କ ଜୟନ୍ତୀ ଅବସରରେ ତାଙ୍କର ସ୍ଥିର ଚିତ୍ରରେ, ମହାନ୍ ସ୍ଵାଧୀନତା ସଂଗ୍ରାମୀ ସୁରେନ୍ଦ୍ର ନାଥ ଦ୍ବିବେଦୀ ଙ୍କ ଜୟନ୍ତୀ ଅବସରରେ ତାଙ୍କର ଫଟୋଚିତ୍ରରେ ଓ ପ୍ରାକ୍ତନ ବାଚସ୍ପତି ଶରତ କୁମାର କର ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କର ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଓଡ଼ିଶାର ସୀମାନ୍ତବର୍ତ୍ତୀ ଅଞ୍ଚଳ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଏହି ପ୍ରତିନିଧି ଦଳ ରେ ଉତ୍କଳ ପୂର୍ଣ୍ଣାଙ୍ଗ ନ୍ୟାସ ମଣ୍ଡଳୀ ସଭାପତି ସୀତା ବଲ୍ଲଭ ମହାପାତ୍ର, ଓଡ଼ିଶା ନାଗରିକ ମହାମଞ୍ଚ ର ଉପ ସଭାପତି  ବିଜୟ ପରିଡା, ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ସମର୍ପିତ ସଦସ୍ୟ ମୁରଲୀଧର ବାବୁ, ଯୁବ ସାମ୍ବାଦିକ ଚିରଞ୍ଜିବୀ ସେଠୀ ପ୍ରମୁଖ ଯାଇଛନ୍ତି ।

ଖୋର୍ଦ୍ଧା ଠାରେ ବିଭିନ୍ନ ସଂଗଠନ ତରଫରୁ ଅଭିଯାନ କୁ ସ୍ଵାଗତ କରାଯିବା ସହିତ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଠିକ୍ ସେହିପରି ଜଙ୍କିଆ ଠାରେ ଶହଶହ ଯୁବକ ମାନେ ସଚିଦାନନ୍ଦ ଗୁମାନସିଂହ ଙ୍କ ନେତୃତ୍ବରେ ସମ୍ବର୍ଦ୍ଧିତ କରିଥିବା ସମୟରେ ଶହଶହ ଲୋକେ ଦିଲ୍ଲିପ କୁମାର ବେହେରା ଙ୍କ ନେତୃତ୍ବରେ ଚଣ୍ଡେଶ୍ବର ଠାରେ ସମ୍ବର୍ଦ୍ଧିତ କରିଛନ୍ତି । ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସମ୍ବର୍ଦ୍ଧିତ ସଭା ପରେ ସନ୍ଧ୍ୟା ରେ ପାରଳାଖେମୁଣ୍ଡି ରେ ବ‌ହୁ ସଙ୍ଗଠନ ର ସମ୍ମିଳିତ ସଭା ରେ ଯୋଗ ଦେଇ ଆସନ୍ତାକାଲି (ଶନିିବାର)ସକାଳେ ଗଙ୍ଗାବାଡ, ମାଣିକ ପାଟଣା,ଗୁଡିଖୁଡି,କଳିଙ୍ଗଦୋଳା ଦେଇ ଗୁଣୁପୁର, ରାୟଗଡ଼ା ଦେଇ କୋରାପୁଟ ଠାରେ ବିଭିନ୍ନ ସଙ୍ଗଠନ ର ପ୍ରତିନିଧି ମଣ୍ଡଳୀ ଙ୍କ ସହିତ କୋଟିଆ ଅଞ୍ଚଳକୁ ଯାଇ ସ୍ଥିତିର ଅନୁଧ୍ୟାନ କରିବେ ।  ସେଠାରେ ଅଖଣ୍ଡ ଓଡ଼ିଶା ଗଠନ ଅଭିଯାନ ର ଶୁଭାରମ୍ଭ କରି ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ଵାରା  ଓଡ଼ିଶା ର ଅଙ୍ଗ ଛେଦନ କରି ବିଭିନ୍ନ ରାଜ୍ୟରେ ଥିବା ଓଡ଼ିଆ ଅଞ୍ଚଳ ଯଥା ବିଜୟନଗରଠାରୁ ମେଦିନୀପୁର, ଷଢେ଼ଇକଳା ଖରସୁଆଁ ସିଂହଭୂମି, ଚାଇଁବସା, ଚକ୍ରଧର ପୁର ,ବସ୍ତର ଅଞ୍ଚଳ ସମୂହ କୁ ଓଡ଼ିଶା ମାନଚିତ୍ର ରେ ସ୍ଥାନିତ କରିବାକୁ ଆନ୍ଦୋଳନ ବ୍ୟାପକ ଭାବେ ଗଢ଼ି ତୋଳିବାକୁ ଶପଥଗ୍ରହଣ କରିବେ ବୋଲି ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖ୍ୟ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ସୂଚନା ଦେଇଛନ୍ତି ।

footer
Top