logo
logo
add image
news image

ଏଥର ଫେସ୍ ଟୁ ଫେସର ଅତିଥି ସମାଜସେବୀ ଜୟଶ୍ରୀ ମହାପାତ୍ର

ଏଥର ଫେସ ଟୁ ଫେସର ଅତିଥି ହେଉଛନ୍ତି ଜଣାଶୁଣା ସମାଜସେବୀ ତଥା ପୁରୀ ଜୁଭେନାଇଲ ଜଷ୍ଟିସ୍ ବୋର୍ଡର ସଦସ୍ୟା ଜୟଶ୍ରୀ ମହାପାତ୍ର । ଲୋକ ଦେଖାଣିଆ କିମ୍ବା ଜଣେ ଡିଜାଇନର ସୋସିଆଲ ୱାର୍କର୍ ଭାବରେ ନୁହେଁ ବରଂ ଜଣେ ନିଆରା ସମାଜସେବୀ ହିସାବରେ ସେ ଗରିବ ଓ ଅସହାୟଙ୍କ ପାଇଁ ନିରନ୍ତର କାମ କରିଚାଲିଛନ୍ତି । ତେବେ ଆସନ୍ତୁ ଜାଣିବା ଜୟଶ୍ରୀ ମହାପାତ୍ରଙ୍କ ବିଷୟରେ ଏମିତି ଅନେକି କିଛି, ଯ଼ାହାକି ତାଙ୍କୁ ଆଣିଦେଇଛି ଏକ ସ୍ୱତନ୍ତ୍ର ପରିଚିତି !  ଶ୍ରୀମତୀ ମହାପାତ୍ରଙ୍କୁ ଭେଟିଥିଲେ ଆମ ପ୍ରତିନିଧି ସ୍ନେହାସିନୀ ନାୟକ ଓ ସତ୍ୟବ୍ରତ ମଣ୍ଡଳ ...

 

ଓଡିଶା ନ୍ୟୁଜ୍ ଲାଇଭ୍ - ଏକାଧିକ ବ୍ୟକ୍ତିତ୍ୱର ଅଧିକାରୀ ଆପଣ । ତେବେ କେବେ ଓ କେମିତି ସମାଜସେବା ପାଇଁ ମନ ବଳିଲା । ଓ ଆପଣ କେଉଁ ସବୁ କ୍ଷେତ୍ରରେ ନିଜକୁ ସକ୍ରିୟ ରଖିଛନ୍ତି, ଦୟାକରି ବିଶଦ ଭାବରେ ପାଠକଙ୍କୁ କହିବେ କି ?

ଜୟଶ୍ରୀ ମହାପାତ୍ର - ଆପଣଙ୍କ କହିବା ଅନୁଯାୟୀ ମୁଁ ଏକାଧିକ ବ୍ୟକ୍ତିତ୍ୱର ଅଧିକାରୀ ।  ଏହା ତ ମୁଁ ନିଜେ ଜାଣିନି । ମୁଁ ଏକ ସାଧାରଣ ମଣିଷ । ଲୋକଙ୍କ ସେବା କରିବା ମୋର ଲକ୍ଷ୍ୟ । କଥାରେ ଅଛି ରକ୍ତ ବି କଥା କହେ, ଯେହେତୁ ମୁଁ ଗୋପବନ୍ଧୁଙ୍କ ଅଣନାତୁଣୀ ସେଥିପାଇଁ ସମାଜସେବାର ଛାପ ମୋ ଭିତରେ ରହି ଯାଇଛି । ଛୋଟବେଳୁ ମାଆ, ଜେଜେମା, ବାପାଙ୍କୁ ଦେଖିଛି । ସେମାନଙ୍କର ସେବା କରିବା ଗୁଣ ମୋ ମଧ୍ୟରେ ରହିଛି । ସମାଜସେବା ବହୁତ ବଡ ଜିନିଷ । ଛୋଟବେଳେ ଦେଖିଛି ନନା, ଦଦେଇ ଗରିବ ପିଲାଙ୍କୁ ପାଠ ପଢାନ୍ତି । ଏସବୁର ପ୍ରଭାବ ମୋ ଉପରେ ପଡିଛି । ସେଥିପାଇଁ ମୋ ଜୀବନଟା ସମାଜସେବା ପାଇଁ ବୋଲି ମୁଁ ଧରିନେଇଛି । 

 

ଓଡିଶା ନ୍ୟୁଜ୍ ଲାଇଭ୍ - ଆପଣ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ (ପୁରୀ)ପରି ଏକ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ପଦରେ କାର୍ଯ୍ୟରତ । ଆପଣଙ୍କର କିଛି ଅନୁଭୂତି ଓ ଆପଣଙ୍କର ଭୂମିକା ବିଷୟରେ କିଛି କହିବେ କି ?

ଜୟଶ୍ରୀ ମହାପାତ୍ର - ମୋ ମନରେ ପିଲାଙ୍କ ପ୍ରତି ଥିବା ଭଲପାଇବା ପାଇଁ ଭଗବାନ ମତେ ଆଜି ଏ ଜାଗାରେ ରଖିଛନ୍ତି । ପିଲାଙ୍କୁ ନାରାୟଣ ବୋଲି କୁହାଯାଏ । ପିଲାଙ୍କ ହସରେ ନିଚ୍ଛକତା ଭରି ରହିଥାଏ । କିନ୍ତୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ କାମ କଲା ପରେ ମୋର ଅନୁଭୂତି ଭିନ୍ନ ପ୍ରକାରର । ଆଜିର ସମୟରେ ନିରୀହ ପିଲାମାନଙ୍କର ଜୀବନ ଏତେମାତ୍ରାରେ କଳୁଷିତ ହୋଇଯାଇଛି, ଯେଉଁଥିପାଇଁ ମୁଁ ଦୋଷ ଦେବି ସମାଜକୁ ଓ ଆଜିର ଟେକ୍ନୋଲୋଜିକୁ, ଯାହାର କି ଅପବ୍ୟବହାର କରାଯାଉଛି । ପ୍ରାୟ ଦେଖାଯାଉଛି କି ବଡମାନେ ପିଲାମାନଙ୍କୁ ଭୁଲ୍ କାମରେ ବ୍ୟବହାର କରୁଛନ୍ତି । କାରଣ ପିଲାମାନଙ୍କ ପାଇଁ ଆଇନର ବ୍ୟବସ୍ଥା କୋହଳ ରହିଛି । ଅନ୍ୟପଟେ ଦୋଷ ଦେବି ମାଆ ମାନଙ୍କୁ । ପିଲାମାନଙ୍କୁ ଉଚିତ୍ ଶିକ୍ଷା ଦେବା ମାଆର କର୍ତ୍ତବ୍ୟ । ହୃଦୟରେ ସ୍ନେହ ରଖି ମାଆମାନେ ପିଲାଙ୍କୁ ସଠିକ୍ ମାର୍ଗ ଦେଖାଇବା ଉଚିତ୍ । ପିଲାମାନଙ୍କର ସବୁ ଦିଗ ପ୍ରତି ମାଆମାନଙ୍କର ନଜର ରହିବା ଦରକାର । ଏବେ ଜୁଭେନାଇଲ୍ କ୍ରାଇମ୍ ବଢିଯାଇଛି । ଏଥିପାଇଁ କେବେ କୁସଙ୍ଗ ତ କେବେ ପରିବେଶ ଦାୟୀ । 

 

ଓଡିଶା ନ୍ୟୁଜ୍ ଲାଇଭ୍ - ଆମେ ପ୍ରାୟ ଅନେକ ସମୟରେ ଆପଣଙ୍କୁ ଏସିଡ୍ ପିଡିତା, ଜରା ନିବାସ କିମ୍ବା ଅନାଥ ପିଲାଙ୍କ ଗହଣରେ ଦେଖିଥାଉ । ଏହାର କାରଣ ଜାଣିବାକୁ ଚାହିଁବୁ ?

ଜୟଶ୍ରୀ ମହାପାତ୍ର - ଅନାଥ ଅାଶ୍ରମରେ ଆମେ ଯେଉଁ ପିଲାମାନଙ୍କୁ ରଖିଥାଉ । ସେମାନେ ମାଆର ସ୍ନେହରୁ ବଞ୍ଚିତ ହୋଇଥାଆନ୍ତି ।  ସେମାନେ ବି ଜାଣିବା ଦରକାର ମାଆର ସ୍ନେବ କଣ । ଅନାଥ ଆଶ୍ରମକୁ ବାରମ୍ବାର ଯିବା ଦ୍ୱାରା ଅନାଥ ପିଲାମାନଙ୍କୁ ମୁଁ ସ୍ନେହ, ଶ୍ରଦ୍ଧା ଦେଇପାରେ । ନିଜ ମାଆ ପାଖରେ ଯେମିତି ଅଳି କରନ୍ତି ସେହି ଅଳି ଅର୍ଦ୍ଦଳି ମୋ ପାଖରେ କରନ୍ତୁ ବୋଲି ମୁଁ ଚାହେଁ ।

ବାକି ଯେଉଁ ଏସିଡ୍ ପିଡିତାଙ୍କ କଥା କହିଲେ ମତେ ବେଳେ ବେଳେ ଲାଗେ ଏସବୁ ଘଟଣାରେ ଏମାନଙ୍କର ବି କିଛି ଭୁଲ୍ ରହିଯାଇଥାଇପାରେ । ଭଲପାଇବା ଆଜିର ଦିନରେ ଏତେ ସସ୍ତା ହୋଇଯାଇଛି କି ଏହାର ମୂଲ୍ୟ କେହି ବୁଝୁନାହାନ୍ତି । ଭଲପାଇବାର ମାନେ ଆଜିକାଲି ସମସ୍ତେ ଶାରୀରିକ ସମ୍ବନ୍ଧକୁ ବୁଝୁଛନ୍ତି ।  ଯେଉଁଥି ପାଇଁ ଏସବୁ ଘଟଣା ଘଟୁଛି । ବହୁତ ସୁନ୍ଦର ଝିଅ ବିକୃତ ହୋଇଯାଉଛନ୍ତି ।

ଏଥିପାଇଁ ମଧ୍ୟ ମୁଁ ମାଆମାନଙ୍କୁ ଦାୟୀ କରିବି ।  କାରଣ ମାଆମାନେ ସବୁବେଳେ ପିଲାମାନଙ୍କ ସହ ସାଙ୍ଗ ଭଳି ଚଳିବା ଦରକାର । ଫଳରେ ଝିଅ ନିଜ ମନର କଥା ମାଆ ଆଗରେ କହିପାରିବ ଓ ଏଭଳି ଘଟଣାକୁ କିଛି ମାତ୍ରାରେ ଏଡାଇ ହେବ । 

 

ଓଡିଶା ନ୍ୟୁଜ୍ ଲାଇଭ- ଆପଣ ଉତ୍କଳମଣି ଗୋପବନ୍ଧୁଙ୍କର  ନାତୁଣୀ (ଗ୍ରେଟ୍ ଗ୍ରାଣ୍ଡ ଡଟର) । ବକୁଳବନରତ ଯେଉଁ ଅବ୍ୟବସ୍ଥା ରହିଛି ତା ବିଷୟରେ କଣ କହିବେ । ସେଥିପ୍ରତି ଆପଣଙ୍କର କଣ ଭୂମିକା ରହିଛି ? 

ଜୟଶ୍ରୀ ମହାପାତ୍ର- ବକୁଳବନର ଯେଉଁ ଅବ୍ୟବସ୍ଥା ରହିଛି ସେଥିପ୍ରତି ସରକାର ଉଦାସୀନତା ପ୍ରଦର୍ଶନ କରୁଥିଲେ । ମାତ୍ର ବର୍ତ୍ତମାନ କିଛି କାମ ଆରମ୍ଭ କରିଛନ୍ତି । ଆପଣମାନେ ଜାଣିଥିବେ ବକୁଳବନରୁ ଦୁଇଟି ମୂର୍ତ୍ତି ଚୋରି ହୋଇଥିଲା ତାହା ମଧ୍ୟ ଆମେ ସରକାରଙ୍କୁ ଜଣାଇଥିଲୁ । ମାତ୍ର କେହି ଆମକୁ ସମର୍ଥନ ଦେଇନଥିଲେ । ଆମେ ଆମ ଭିତରେ ଚାନ୍ଦା କରି ମୂର୍ତ୍ତି ବସାଇଥିଲୁ । ଏହାର ଉନ୍ନତି ପାଇଁ ବିଭିନ୍ନ କାମ କରୁଛୁ । ଏହାକୁ ସଫା କରିବା ପାଇଁ ପୁରୀର ସାହି ଭାଇ ବୋଲି ଏକ ସଂସ୍ଥା ସ୍ୱେଚ୍ଛାକୃତ ଭାବରେ ନିଜର ଶ୍ରମଦାନ କରୁଛି । ଏହା କିପରି ଚଳଚଞ୍ଚଳ ହୋଇ ରହିବ ସେଥିପାଇଁ ସବୁ ପ୍ରକାରର ପ୍ରୟାସ କରାଯାଉଛି । ଅନେକ ପ୍ରକାରର କାର୍ଯ୍ୟକ୍ରମ ମଧ୍ୟ ଏଠାରେ କରାଯାଉଛି ।  ଆମେ ଏହାକୁ ସରକାରଙ୍କ ଦୃଷ୍ଚିକୁ ମଧ୍ୟ ଆଣିବାକୁ ଚେଷ୍ଠା କରୁଛୁ । ଏହାର ଉନ୍ନତି ପାଇଁ ଟଙ୍କା ମଧ୍ୟ ସାଙ୍କସନ୍ ହୋଇଛି । କେବଳ ଏତିକି କଥା ଯେ ଏ ଟଙ୍କା କେମିତି ବାଟ ମାରଣା ନହେଉଯାଉ । ଉଚିତ୍ ମାର୍ଗରେ ଏହି ଟଙ୍କାର ବିନିଯୋଗ ପାଇଁ ଆମେ ଚେଷ୍ଠା କରିବୁ ।  

 

ଓଡିଶା ନ୍ୟୁଜ୍ ଲାଇଭ୍-ଆପଣ ଅନେକ ସମୟରେ ବିଭିନ୍ନ ସାମାଜିକ ସମସ୍ୟା ଉପରେ ବିଭିନ୍ନ ଗଣମାଧ୍ୟମରେ ମତ ରଖନ୍ତି, ତେବେ ମହାନଦୀ ସମସ୍ୟା ଓ ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ଉପରେ ସୁପ୍ରିମକୋର୍ଟ ରଖିଥିବା ଟିପ୍ପଣୀ ଉପରେ ଆପଣଙ୍କ ମତ କଣ ? 

ଜୟଶ୍ରୀ ମହାପାତ୍ର - ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ଉପରେ ସୁପ୍ରିମକୋର୍ଟ ନିଜର ରାୟ ଦେଇସାରିଛନ୍ତି । ତେଣୁ ଏହା ଉପରେ ମୁଁ ମତାମତ ରଖିବାକୁ ଉଚିତ ମଣିବି ନାହିଁ ! କାରଣ ଆମେ ମଧ୍ୟ ନିଜ ପର୍ବ ସମେତ ଖ୍ରୀଷ୍ଟିୟାନ୍ ମାନଙ୍କର ନ୍ୟୁଇୟର୍ସ ପାଳନ କରୁଛୁ । ଆମ ଜାତି ଭାଇମାନେ ମଧ୍ୟ ଇଦରେ ମୁସଲିମଙ୍କ ଘରେ ଇଫତାର ଭୋଜିରେ ସାମିଲ ହୋଇ ସାଥି ହୋଇ ଖାଉଛନ୍ତି । ଆମକୁ ଯଦି ସେମାନେ ବିରୋଧ କରୁନାହାନ୍ତି ତେବେ ଆମେ ତାଙ୍କୁ କଣ ପାଇଁ ବିରୋଧ କରିବା । ଈଶ୍ୱର ସମସ୍ତଙ୍କ ହୃଦୟରେ ଅଛନ୍ତି । ଇସ୍କନ ମନ୍ଦିରରେ ମଧ୍ୟ ଜଗନ୍ନାଥ ପୂଜା ପାଉଛନ୍ତି । ସନାତନ ଧର୍ମ ଅନୁସାରେ ସମସ୍ତେ ସମାନ । ତେଣୁ ଭେଦଭାବର ପ୍ରଶ୍ନ ଉଠୁଛି କେଉଁଠୁ । କାରଣ ଅସୁସ୍ଥତା ସମୟରେ ରକ୍ତ ନେବା କିମ୍ବା ରକ୍ତଦାନ ସମୟରେ ଆମେ ମଧ୍ୟ ଜାତି କିମ୍ବା ଧର୍ମ ଦେଖିନଥାଉ । ଏହା କେବଳ ମନୁଷ୍ୟକୃତ । ମଣିଷ ଚାହିଁଲେ ହିଁ ଏହାକୁ ବଦଳାଇ ପାରିବ ।

ମହାନଦୀ ସମସ୍ୟା ନେଇ ଯେଉଁ ବାଦିପାଲା ଚାଲିଛି, ସେପ୍ରସଙ୍ଗରେ ଉଭୟ ଶାସକ ଓ ବିରୋଧୀଙ୍କର କିଛି ନା କିଛି ଭୁଲ୍ ରହିଯାଉଛି । ଭାଷଣ ବାଜି ଛାଡି ସମସ୍ୟାର ସମାଧାନ କରିବା ଦରକାର । ମୁଁ କୌଣସି ଗୋଟିଏ ଦଳକୁ ଦୋଷ ଦେବିନି । ଏହା କେବଳ ଆମର ଅପାରଗତାକୁ ଦର୍ଶାଉଛି । ପ୍ରକୃତି ବିରୋଧରେ ଯିବା ବହୁତ ବଡ ଭୁଲ୍ । ହୀନ ରାଜନୀତି ଠାରୁ ଦୂରେଇ ରହିବା ଉଚିତ୍ ।  

 

ଓଡିଶା ନ୍ୟୁଜ୍ ଲାଇଭ୍- ଅନେର ସମୟରେ ଚର୍ଚ୍ଚା ହୁଏ ଆପଣ ରାଜନୀତିକୁ ଓହ୍ଲାଇବେ ଓ ନିର୍ବାଚନ ଲଢିବେ । ସେପରି କିଛି ଯୋଜନା ଅଛି କି ? ଯଦି ହଁ ତେବେ କଣ ରହିବ ଆପଣଙ୍କ ରାଜନୈତିକ ଲକ୍ଷ । ଆଉ ଯଦି ନା ତେବେ କାରଣ କଣ । ଏଥିସହ ବର୍ତ୍ତମାନର ରାଜ୍ୟର ରାଜନୀତି ଉପରେ ଆପଣଙ୍କ ମତାମତ ଜାଣିବାକୁ ଚାହିଁବୁ ?

ଜୟଶ୍ରୀ ମହାପାତ୍ର- ଏମିତି ଚର୍ଚ୍ଚା ଚାଲିଛି ବୋଲି ତ ମୁଁ ଜାଣିନି । ମୁଁ କୌଣସି ରାଜନୈତିକ ଉଦ୍ଦେଶ୍ୟ ରଖି କାମ କରୁନାହିଁ । ଛୋଟ ବେଳରୁ କରିଆସିଛି, ଆଜି ବି କରୁଛି । ଯଦି ଅଧିକ ସେବା କରିବାର ସୁଯୋଗ ମିଳେ ତେବେ ଅଲଗା କଥା । ମାତ୍ର ନିଜର ସ୍ୱାଭିମାନକୁ ହାରି କୌଣସି ଦଳକୁ ଯିବି ନାହିଁ । ବିନା ରାଜନୀତିରେ ମଧ୍ୟ ସେବା କରିହେବ । ସମାଜସେବା ପରିବାରରୁ ଆସିଛି, ସମାଜସେବା ହିଁ ମୋର ଧର୍ମ । ହଁ, ଭଲ ସୁଯୋଗ ମିଳିଲେ ଗ୍ରହଣ କରିବି ନିଶ୍ଚୟ । କାରଣ ଗୋପବନ୍ଧୁ ଦାସଙ୍କୁ ଦିଲ୍ଲୀ ଦରବାରରେ ପହଁଞ୍ଚାଇବା ମୋର ଉଦ୍ଦେଶ୍ୟ ଅଟେ । 

   ବାକି ରହିଲା ଆଜିର ରାଜ୍ୟ ରାଜନୀତି ଉପରେ ମୋର ମତ ।  ମୁଁ କହିବା ଆଗରୁ ଆପଣ ଏକଥା ଭଲକରି ଜାଣନ୍ତି । ଆଜି କାଲି ଆଉ ଶିକ୍ଷିତ ଲୋକମାନେ ଭୋଟ ଦେଉନାହାନ୍ତି । କାରଣ ସେମାନେ ଉଚିତ୍ ପ୍ରାର୍ଥୀ ପାଉନାହାନ୍ତି । ସମାଜର ଉନ୍ନତି କରୁଥିବା ଲୋକ ଯଦି ରାଜନୀତିରେ ପ୍ରବେଶ କରନ୍ତେ ତେବେ ଦେଶର ଅବସ୍ଥା ଆପେ ଆପେ ବଦଳି ଯାଆନ୍ତା । ମାତ୍ର ସମାଜର ଉନ୍ନତି ଚାହୁଁଥିବା ଲୋକମାନଙ୍କ ପାଇଁ ରାଜନୀତିରେ ସ୍ଥାନ ନାହିଁ । 

 

ଓଡିଶା ନ୍ୟୁଜ୍ ଲାଇଭ - ମହାପୁରୁଷଙ୍କ ନାଁରେ ଦିଆଯାଉଥିବା ସମ୍ମାନକୁ ଆପଣ ନାପସନ୍ଦ କରନ୍ତି, ଏହାର କାରଣ କଣ ।

ଜୟଶ୍ରୀ ମହାପାତ୍ର - ମୁଁ ନିଶ୍ଚିନ୍ତ ଭାବରେ ନାପସନ୍ଦ କରିବି । ଚିଟଫଣ୍ଡରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଯଦି ଗୋପବନ୍ଧୁ ସମ୍ମାନ ଦିଆଯିବ, ତ ଏହାକୁ ନାପସନ୍ଦ କେମିତି ନକରିବି । ମହାପୁରୁଷମାନେ କଣ ଏତେ ଶସ୍ତା । ସେମାନେ ଦେଶ ପାଇଁ ବହୁ ପରିଶ୍ରମ କରି ଗୌରବ ଅର୍ଜନ କରିଛନ୍ତି । ଉତ୍କଳମଣି ଗୋପବନ୍ଧୁ , ଉତ୍କଳ ଗୌରବ ପରି ସମ୍ମାନ ଏହିପରି ଲୋକଙ୍କୁ ଦେଇ ମହାପୁରୁଷ ମାନଙ୍କୁ ଅସମ୍ମାନ କରାନଯାଉ । 

 

ଓଡିଶା ନ୍ୟୁଜ୍ ଲାଇଭ୍ - ଆପଣ କାମ କରୁଥିବା ଦିଗରେ ସରକାରଙ୍କର ଭୂମିକା, ପଦକ୍ଷେପ ଓ ଆଭିମୁଖ୍ୟକୁ ନେଇ ଆପଣ ସନ୍ତୁଷ୍ଟ କି । ନା ଏନେଇ ସରକାରଙ୍କର କଣ ସବୁ କରିବାର ଆବଶ୍ୟକତା ରହିଛି ବୋଲି ଆପଣ ଅନୁଭବ କରୁଛନ୍ତି ?

ଜୟଶ୍ରୀ ମହାପାତ୍ର - ସରକାରଙ୍କର ଭୂମିକା, ଆଭିମୁଖ୍ୟ ଓ ପଦକ୍ଷେପ ଯାହା ହେବା ଦରକାର ତାହା ଠାରୁ ଅଲଗା ହୋଇଥାଏ । ପ୍ରତ୍ୟେକ ନିଜ ନିଜର କାମକୁ ଠିକ୍ ଭାବରେ କରିବା ଉଚିତ୍ । ମାତ୍ର କାହାର କର୍ତ୍ତବ୍ୟ ମଧ୍ୟକୁ ଯଦି ରାଜନେତାମାନେ ବାରମ୍ବାର ପ୍ରବେଶ କରନ୍ତି, ସେଠାରେ କର୍ତ୍ତବ୍ୟ ଠିକ୍ ଭାବରେ ହୋଇପାରିବ ନାହିଁ । ଚୋରୀ କରିବା ଯେତିକି ଭୁଲ୍, ଚୋରୀକୁ ପ୍ରଶୟ ଦେବା ସେତିକି ଭୁଲ୍ । ଅଯଥା ହସ୍ତକ୍ଷେପକୁ ମୁଁ ପସନ୍ଦ କରେ ନାହିଁ । 

 

ଓଡିଶା ଲାଇଭ୍ ନ୍ୟୁଜ୍ - ଓଡିଶାରେ ଗଣମାଧ୍ୟମ (ଖବରକାଗଜ, ଟିଭି, ଏଫ୍ ଏମ୍, ଓ୍ୱେବମିଡିଆ)ଖାସ କରି ସୋସିଆଲ୍ ମିଡିଆର ସ୍ଥିତି ବା ଭୂମିକା ଉପରେ ଆପଣଙ୍କର ମତାମତ କଣ । 

ଜୟଶ୍ରୀ ମହାପାତ୍ର - ଗଣମାଧ୍ୟମ ବା ସୋସିଆଲ୍ ମିଡିଆ ହିରୋକୁ ଜିରୋ କରିଥାଏ ଆଉ ଜିରୋକୁ ହିରୋ ।  ଏଥିରେ ମଧ୍ୟ ଅର୍ଥ କାରବାର ଚାଲିଛି । ବେଶୀ କିଛି ଜାଣିନଥିବା ଲୋକ ମଧ୍ୟ ବାରମ୍ବାର ଟିଭିରେ ଆସୁଛନ୍ତି । ମାତ୍ର ପ୍ରକୃତ ଜ୍ଞାନ ଥିବା ଲୋକଙ୍କୁ ସେ ସୁଯୋଗ ମିଳୁନାହିଁ । ସାମ୍ବାଦିକତା ସବୁବେଳେ ନିରପେକ୍ଷ ହେବା ଦରକାର । ନୈତିକତା ବୋଧ ରହିବା ଦରକାର । 

 

ଓଡିଶା ନ୍ୟୁଜ୍ ଲାଇଭ୍- ଆପଣଙ୍କ ଜୀବନର କିଛି ସ୍ମରଣୀୟ ମୂହୂର୍ତ୍ତ ଯାହା ଆପଣ ପାଠକଙ୍କ ସହ ବାଣ୍ଟିବାକୁ ଚାହିଁବେ ?

ଜୟଶ୍ରୀ ମହାପାତ୍ର- ମୋ ଜୀବନର ସ୍ମରଣୀୟ ମୂହୂର୍ତ୍ତ ଯେଉଁଦିନ ମୁଁ ଜୁଏଲ୍ ଅଫ୍ ଇଣ୍ଡିଆ ଆଓ୍ୱାର୍ଡ ପାଇଥିଲି । 2014ରେ ମୁଁ ଏହି ସମ୍ମାନ ପାଇଥିଲି ।  ଏକଥା ମୁଁ ଆଗରୁ ଜାଣିନଥିଲି । ସେଦିନର ସେ ଖୁସିକୁ ମୁଁ କେବେ ଭୁଲି ପାରିବିନି । 

 

ଓଡିଶା ନ୍ୟୁଜ୍ ଲାଇଭ୍-ସମାଜସେବା ଓ ଅନ୍ୟାନ୍ୟ ଦୈନନ୍ଦିନ ଦାଇତ୍ୱ ନିର୍ବାହ ପରେ, ଅବସର ସମୟରେ ଆପଣ କଣ କରିବାକୁ ପସନ୍ଦ କରନ୍ତି । ମାନେ ସେମିତି କିଛି ବିଶେଷ ରୁଚି ଅଛି କି ?

 ଜୟଶ୍ରୀ ମହାପାତ୍ର - ମୋର ବିଶେଷ ରୁଚି ଲେଖାଲେଖିରେ ରହିଛି । ଲେଖାଲେଖି କରିବା ମୋର ବହୁତ ପସନ୍ଦ । ନହେଲେ ଅବସର ସମୟ ପରିବାର ସହିତ କାଟିବାକୁ ପସନ୍ଦ କରେ । 

 

ଓଡିଶା ନ୍ୟୁଜ୍ ଲାଇଭ୍ - ଶେଷରେ ଜାଣିବାକୁ ଚାହିଁବୁ ଆଗକୁ ଆପଣ କଣ ସବୁ ଯୋଜନା ରଖିଛନ୍ତି ? 

ଜୟଶ୍ରୀ ମହାପାତ୍ର- ମୁଁ ଚାହେଁ, ଯେଉଁ କାମ କରୁଛି ଭଗବାନଙ୍କ ଦୟାରୁ ସେ କାମଗୁଡିକୁ ଠିକ୍ ଭାବରେ ସମ୍ପନ୍ନ କରିପାରେ । 

 

ଓଡିଶା ନ୍ୟୁଜ୍ ଲାଇଭକୁ ନିଜର ବହୁମୂଲ୍ୟ ସମୟ ଦେଇଥିବାରୁ ଅନେକ ଅନେକ ଧନ୍ୟବାଦ ।

footer
Top