logo
logo
add image
news image

'ପ୍ରତିଦିନ ମରି ମରି ବଞ୍ଚିଛି, ବିବନକୁ ଫାଶି ହେଉ': ଅଞ୍ଜନା

୨୨ ବର୍ଷ ତଳର ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୋଲିସ। ଗିରଫ ମୁଖ୍ୟ ଅଭିଯୁକ୍ତର ନାମ ବିବେକାନନ୍ଦ(ବିବନ) ବିଶ୍ୱାଳ। ପ୍ରେସମିଟ୍‌ରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି। ପୋଲିସ କମିଶନର କହିଛନ୍ତି, ଗଣଦୁଷ୍କର୍ମ ପରେ ମୁଖ୍ୟ ଅଭିଯୁକ୍ତ ବିବନ ଫେରାର ଥିଲା। ସେ ପୁଣେରେ ରହୁଥିବା ଜଣାପଡ଼ିଥିଲା। ପୁଣେର ଆମ୍ବି ଭ୍ୟାଲିରେ ବିବନ ନାମ ବଦଳାଇ ରହୁଥିଲା। ସେଠାରେ ସେ ଜଳନ୍ଧର ସ୍ୱାଇଁ ପରିଚୟ ଦେଇ ପାଣି ମିସ୍ତ୍ରୀ ଭାବେ କାମ କରୁଥିଲା ବିବନ। ପରିଚୟ ପତ୍ର,ଆଧାର କାର୍ଡ, ପାସ୍‌ବୁକ୍ ଜଳନ୍ଧର ନାଁରେ କରିଥିଲା।

 

ବିବନ ବିଶ୍ୱାଳ ଗିରଫ ପରେ ପୀଡ଼ିତା ଅଞ୍ଜନା ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "CBI ଚୁପ୍ ବସିଲା, ଧରିପାରିଲାନି। ହେଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସାର୍‌ ଓ ତାଙ୍କ ଟିମ୍‌ ମୋତେ ନ୍ୟାୟ ଦେଲେ। ବିବନ ବିଶ୍ୱାଳ ମୁଖ୍ୟ ଅଭିଯୁକ୍ତ ଥିଲା। ଏଇ ୨୨ ବର୍ଷ ଭିତରେ ମୁଁ ବହୁତ କଷ୍ଟ ସହିଛି ଓ ସଂଘର୍ଷ କରିଛି। ମୋ ଘରକୁ ପଥ ମାଡ଼ କରିବା ସହ ମୋତେ ୧୦-୧୫ ଥର ଜୀବନରୁ ମାରି ଦେବାକୁ ଉଦ୍ୟମ କରାଯାଇଥିଲା। ମୋତେ ମୋ ଘରେ ରଖେଇ ଦେଲେ ନାହିଁ, ଟେକା ମାଡ଼ କଲେ, ଫଳରେ ମୁଁ ଆସି ମୋ ମା'ଙ୍କ ପାଖରେ ରହୁଛି।'

 

ଅଞ୍ଜନା କହିଛନ୍ତି, ବିବନକୁ ଫାଶି ଦିଆଯାଉ।' ସେ ଆହୁରି କହିଛନ୍ତି, 'ପ୍ରତିଦିନ ମୁଁ ମରି ମରି ବଞ୍ଚିଛି, ଗଣଦୁଷ୍କର୍ମ ଘଟିଲେ ଏଥିରେ ଭାଙ୍ଗି ନପଡ଼ି ସଂଘର୍ଷ କରିବା ଦରକାର। ଦୁଖଃର କଥା ଏଠି ନ୍ୟାୟ ମିଳିବାକୁ ଦୀର୍ଘ ବର୍ଷ ଲାଗୁଛି।'

 

ଉଲ୍ଲେଖଥାଉ ଯୋଗ୍ୟ, ୧୯୯୯ ଜାନୁଆରୀ ୯ରେ ଘଟିଥିଲା ଏହି ବହୁଚର୍ଚ୍ଚିତ ଗଣଦୁଷ୍କର୍ମ। କାର୍ ଭିତରେ ବାରଙ୍ଗ ଥାନା ଅଞ୍ଚଳର ବେଲଗାଛିଆ ମହଲା ଓ ଭାଲୁକା ଜଙ୍ଗଲରେ ଅମାନୁଷିକ ଭାବେ ୩/୪ ଘଣ୍ଟା ଧରି ଗଣଦୁଷ୍କର୍ମ କରିଥିଲେ ତିନି ଜଣ ଯୌନ ପିପାସୁ। ଏହି ଗଣଦୁଷ୍କର୍ମ ଘଟଣାରେ ୨ ଜଣ ଅଭିଯୁକ୍ତ ପ୍ରଦୀପ ସାହୁ ଓ ଧୀରେନ୍ଦ୍ର ମହାନ୍ତିଙ୍କୁ ଗିରଫ କରିଥିଲା ପୋଲିସ । ପରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ତେବେ ପ୍ରଦୀପ ସାହୁର ଏହା ଭିତରେ ମୃତ୍ୟୁ ହୋଇଯାଇଛି କିନ୍ତୁ ମୁଖ୍ୟ ଅଭିଯୁକ୍ତ ବିବେକାନନ୍ଦ ବିଶ୍ୱାଳ ଔରଫ ବିବନ ଫେରାର ହୋଇଯାଇଥିଲା ।

footer
Top