logo
logo
add image
news image

ଫେସ୍ ଟୁ ଫେସରେ ଏଥରର ଅତିଥି ସାଧନା ମିଶ୍ର

ପିଲାବେଳୁ ସେ ନିଜ ଭିତରେ ଦେଖନ୍ତି ଦୁଇଟି ରୂପ ! ପରିବାର ନାଁ ରଖିଥିଲେ ସତ୍ୟ ମାତ୍ର ସେ ନିଜ ଭିତରେ ଖୋଜି ପାଇଥିଲେ  ସାଧନାକୁ  । ହଁ ଆମେ କୁହୁଛୁ କିନ୍ନର ସାଧନା ମିଶ୍ରଙ୍କ ବିଷୟରେ... ଆଜି ସେ କିସ୍ ଅନୁଷ୍ଠାନର ଏକ ଉଚ୍ଚ ପଦରେ କାର୍ଯ଼୍ୟରତ । ଆସନ୍ତୁ ଜାଣିବା ସାଧନାଙ୍କ ବିଷୟରେ ଅନେକ କିଛି ଆଜିର ଫେସ୍ ଟୁ ଫେସରେ ! ସାଧନାଙ୍କୁ ଭେଟିଥିଲେ ଆମ ପ୍ରତିନିଧି ସ୍ନେହାସିନୀ ନାୟକ ଓ ଦିପ୍ତୀ ସେନାପତି...  

 

ଓଡ଼ିଶା ନ୍ୟୁଜ୍ ଲାଇଭ୍ - କେନ୍ଦୁଝର ଜିଲ୍ଲାର ସତ୍ୟସୁନ୍ଦର ମିଶ୍ରରୁ ସାଧନା ମିଶ୍ରଙ୍କ ଯାତ୍ରା କିପରି ଥିଲା ?

ସାଧନା - କେନ୍ଦୁଝର ଜିଲ୍ଲାର ସତ୍ୟସୁନ୍ଦର ମିଶ୍ରର ଜୀବନ ଅତି ଦୁଃଖଭରା, କଷ୍ଟମୟ ଓ ଯନ୍ତ୍ରଣାମୟ ଥିଲା ! କେବେ ଭବିଷ୍ୟତକୁ ନେଇ ଚିନ୍ତାଗ୍ରସ୍ତ ହେଉନଥିଲା କାରଣ ସିଏ ନିଜେ ଜାଣିନଥିଲା ତାର ବର୍ତ୍ତମାନ କଣ ଓ ଭବିଷ୍ୟତ କଣ ! କେବଳ ଗୋଟିଏ ଜିନିଷ ଜାଣିଥିଲା, ସମାଜ ଓ ପରିବାର ଠାରୁ ଦୂରେର ଏକ ଅନ୍ଧାର କଠୋରୀ ଭିିତରେ ବନ୍ଦ ରହି କାନ୍ଦିବା ! ମାତ୍ର ସିଏ କେବେ ଜାଣି ନ ଥିଲା ଯେ ସେ ଦିନେ ସତ୍ୟସୁନ୍ଦର ମିଶ୍ରରୁ ସାଧନା ମିଶ୍ର ବନିଯିବ ! ହଁ ମୋ ଯାତ୍ରା ସମସ୍ତଙ୍କ ପରି ସାଧାରଣ ନୁହେଁ ! କିନ୍ତୁ ମୋ ଯାତ୍ରା ମୋର ! ଦୁଃଖଭରା ହେଲେ ବି ସୁନ୍ଦର, ଯାହାକୁ ନେଇ ମୁଁ ଗର୍ବିତ !

 

ଓଡ଼ିଶା ନ୍ୟୁଜ୍ ଲାଇଭ୍ - ସଖାର ଉତ୍ପତ୍ତି, ତାର ଉଦ୍ଦେଶ୍ୟ ଓ ଏହା କେତେ ସଫଳ ହୋଇଛି ?

ସାଧନା -  ସଖା ଅନୁଷ୍ଠାନକୁ ନେଇ ମୁଁ ଆଜି ଗର୍ବିତ । ମୋ ସାଥୀ, ମୋ ଗୁରୁ ମୀରା ପରିଡା ଏବଂ ମୋର ମିଳିତ ଉଦ୍ୟମରେ ସଖାର ଉତ୍ପତି । ଆମେ ଦୁହେଁ ଏକାଠି ହୋଇ ଏକ ଅନୁଷ୍ଠାନ କରିବାର ଯୋଜନା କରୁ, ଯାହାର ନାମ "ସଖା"  ଦିଆଯାଏ ତେବେ ଏହି ସଖା ରେଜିଷ୍ଟ୍ରେସନ ପାଇଁ ଅନେକ ଅସୁବିଧାର ସାମନା କରିବାକୁ ପଡିଛି,  କିନ୍ତୁ ଶେଷରେ ଦୀର୍ଘ ୩ ବର୍ଷ ଲଢେଇ ପରେ ୨୦୦୮ରେ ସଖା ରେଜିଷ୍ଟ୍ରେସନ ହୁଏ, ତେବେ ସଖାର ଉଦ୍ଦେଶ୍ୟ ହେଉଛି ଅନ୍ୟକୁ ସାହାର୍ଯ୍ୟ କରିବା,  ସଖା କେବଳ କିନ୍ନର ସମ୍ପ୍ରଦାୟ ପାଇଁ ନୁହେଁ ବରଂ ପ୍ରାପ୍ୟ ଭାଗିଦାରୀ ପାଇଁ ମଧ୍ୟ ଉପଲବ୍ଧ, ତେବେ ସଖାକୁ ଆଜି ୧୦ ବର୍ଷ ପୂରି ଗଲାଣି, ଏହା ଭିତରେ ଆମେ ବହୁତ କିଛି କାମ କରି ଲୋକଲୋଚନକୁ ମଧ୍ୟ ଆସିପାରିଛୁ । 

 

ଓଡ଼ିଶା ନ୍ୟୁଜ୍ ଲାଇଭ୍ - ଆପଣଙ୍କ ଦୃଷ୍ଟିରେ ସମ୍ପ୍ରତି କିନ୍ନରଙ୍କ ପ୍ରମୁଖ ସମସ୍ୟା କଣ ?

ସାଧନା - ମୋ ମତରେ କିନ୍ନରଙ୍କ ପ୍ରମୁଖ ସମସ୍ୟା ହେଉଛି ସେମାନଙ୍କ "ପରିବାର" ! ଯଦି ପରିବାର ଜାଣୁଛି କି ତା'ଘରେ  ଗୋଟିଏ ପୁଅ ନୁହେଁ ବରଂ ଗୋଟିଏ "କିନ୍ନର" ଜନ୍ମ ହୋଇଛି ତ ତାକୁ ଘରୁ ବାହାର କରି ଦିଆଯାଉଛି । ସେଥିପାଇଁ ଅନେକ ସାଧାରଣ ଜୀବନ ନଷ୍ଟ ହେଉଛି । କେହିକେହି କିନ୍ନର ଘରୁ ବାହାରି ଯାଇ ଭିକ ମାଗି ଚଳୁଛନ୍ତି ତ ଆଉ କେହି ଦେହବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଛନ୍ତି, ପାଖାପାଖି ୮୦ପ୍ରତିଶତ କିନ୍ନରଙ୍କୁ ତାଙ୍କ ପରିବାର ଗ୍ରହଣ କରୁ ନାହାନ୍ତି ତେଣୁ ମୋ ଦୃଷ୍ଟିରେ କିନ୍ନରମାନଙ୍କ ମୁଖ୍ୟ ସମସ୍ୟା ହେଉଛି ଫ୍ୟାମିଲି ଆସପେକ୍ଟଟାନ୍ସ !

 

ଓଡ଼ିଶା ନ୍ୟୁଜ୍ ଲାଇଭ୍ - କିନ୍ନରମାନେ ସମାଜର ମୁଖ୍ୟସ୍ରୋତରେ କିପରି ସାମିଲ ହୋଇପାରିବେ, କଣ କରାଗଲାପ୍ରକୃତରେ କିନ୍ନରମାନେ ନିଦ୍ୱନ୍ଦରେ ସମ୍ମାନର ସହ ବଞ୍ଚିପାରିବେ?

ସାଧନା - ମୋ ମତରେ ବର୍ତ୍ତମାନ କିଛି କିନ୍ନର ଧିରେଧିରେ ମୁଖ୍ୟସ୍ରୋତରେ ପ୍ରବେଶ କରିସାରିଲେଣି, ହଁ ଆଉ କିଛି କିନ୍ନର ପାଠ ପଢିନାହାନ୍ତି ଯେଉଁମାନଙ୍କୁ ମୁଖ୍ୟସ୍ରୋତରେ ଆସିବାରେ ସମୟ ଲାଗିପାରେ, ଆଜି କା ଦିନରେ ମେଘନା OLA ଡ୍ରାଇଭର, ମୁଁ ନିଜେ କିସରେ କାମ କରୁଛି, ଐଶର୍ଯ୍ୟା ଏକ ସରକାରୀ ଉଚ୍ଚପଦଧିକାରୀ ! ଏହାଛଡା ଆମକୁ ସରକାର ମଧ୍ୟ ଅନେକ କ୍ଷେତ୍ରରେ ସାହାର୍ଯ୍ୟ କରୁଛନ୍ତି ! କିନ୍ନରମାନଙ୍କ ପାଇଁ ବିପିଏଲ୍ କାର୍ଡ, ରାସନ୍ କାର୍ଡ, ବିଜୁ ପକ୍କାଘର ସହ ପ୍ରଥମଥର ଲାଗି ଭୁବନେଶ୍ୱରରେ ସ୍ୱତନ୍ତ୍ର ଟଏଲେଟ ମଧ୍ୟ କରିଛନ୍ତି, ସରକାରୀ ସ୍ତରରେ ବହୁତ କିଛି ଆମେ ଉପଲବ୍ଧ କରୁଛୁ, କେବଳ  Family accpectance ଓ ସମାଜର ଦେଖିବା ଭଙ୍ଗୀ ବଦଲିଲେ ଆମେ ମଧ୍ୟ ସ୍ୱାଧୀନତା ସହ ବଞ୍ଚିପାରିବୁ !

 

ଓଡ଼ିଶା ନ୍ୟୁଜ୍ ଲାଇଭ୍ - ସାଧନା ଅନେକ କ୍ଷେତ୍ରରେ ଅନନ୍ୟ- ଉଚ୍ଚଶିକ୍ଷିତ, ପ୍ରତିଷ୍ଠିତ, ଅନେକ ସମ୍ମାନ ଓ ପୁରସ୍କାର ଅଧିକାରୀ, ଏପରିକି ବିଦେଶରେ ଓଡିଶାକୁ ପ୍ରତିନିଧିତ୍ୱ କରିଛନ୍ତି, ଜୀବନର ଏସବୁ ମୁହୂର୍ତ୍ତ ପଛରେ ସଂଘର୍ଷ କିପରି ଥିଲା ?

ସାଧନା - ହଁ କିଛି ମାତ୍ରାରେ ମୁଁ ପ୍ରତିଷ୍ଠିତ , ସମ୍ମାନ ଯୋଗ୍ୟ ଓ ବିଭିନ୍ନ ପୁରସ୍କାର ଅଧିକାର କରିଛି, କିନ୍ତୁ ଏହି ସବୁ ଉପଲବ୍ଧି ପାଇଁ ଅନେକ ସଂଘର୍ଷ ମଧ୍ୟ କରିବାକୁ ପଡିଛି,  କେନ୍ଦୁଝରରୁ ଭୁବନେଶ୍ୱର, ଭୁବନେଶ୍ୱରରୁ ଗୁଜୁରାଟ, ଗୁଜୁରାଟରୁ ମୁୁମ୍ବାଇ ଏମିତି ଅନେକ ଜାଗାରେ ନିଜର ହକ୍ଷତାକୁ ପ୍ରମାଣିିତ କରିବାକୁ ପଡିଛି ! ହଁ ମୋତେ ପ୍ରଥମ ଟ୍ରାନ୍ସଜେଣ୍ଡର ଭାବେ ପାର୍ସପୋଟ ମିଳିଛି, ପାର୍ସପୋଟ ପାଇଁ ମୋତେ ବହୁତ ସଂଘର୍ଷ କରିବାକୁ ପଡିଛି, ଏଥିପାଇଁ ରାଜ୍ୟସରକାରଙ୍କ ପାଖରେ ମୁଁ ଋଣୀ ! ତେବେ ହଠାତ୍ ଦିନେ ମୋ ପାଖକୁ ଏକ ଚିଠି ଆସେ ଆମେରିକାରେ ଓଡିଶା ତରଫରୁ ପ୍ରତିଧ୍ୱନିତ୍ୱ କରିବା ଲାଗି, ହେଲେ ଉକ୍ତ ଚିଠିକୁ ମୁଁ ଏତେ ଗୁରୁତ୍ୱ ଦେଇ ନଥିଲି, ପରେ ମୋ ପାଖକୁ ଅନେକ ମେଲ୍ ଆସେ ତା'ପରେ ମୋତେ ଅନୁଭବ ହୁଏ କି ସତରେ ମୁଁ ଓଡିଶା ପାଇଁ ପ୍ରତିନିଧିତ୍ୱ କରୁଛି ! ପରେ ସମୟ ଅପଚୟ ନକରି ଆମେରିକା ଯିବା ଲାଗି ବାହାରି ପଡେ ! ଆମେେରିକାରେ ପହଁଞ୍ଚିବାପରେ ସେଠାର ଅତିଥି ସତ୍କାର ମୋତେ ଆଶ୍ଚର୍ଯ୍ୟ କରିଦିଏ, ମୋର ବିଦେଶୀ ସାମ୍ବାଦିକ ମାନେ ଫଟୋ ଉଠାଇଲା ପରେ ପ୍ରଥମ ଅନୁଭବ ହୁଏ କି ସତରେ ସାଧନା ମିଶ୍ର ଆଉ ସାଧାରଣ ହୋଇକି ନାହିଁ ଏବେ ତୁ ସେଲିବ୍ରେଟି ହୋଇଯାଇଛି, ସେହି ଦିନ ମୁଁ ଆବଶ୍ୟକତା ଠାରୁ ଅଧିକ ଖୁସି ଥିଲି !

 

ଓଡ଼ିଶା ନ୍ୟୁଜ୍ ଲାଇଭ୍ - ଆପଣ ପ୍ରତିଷ୍ଠିତ ହେବା ପରେ ନିଜ ସମାଜର ଅନ୍ୟ କିନ୍ନର ସାଥିଙ୍କ ପାଇଁ କି କାମ କରିବାକୁ ଚେଷ୍ଟା କରୁଛନ୍ତି ?

ସାଧନା - ମୁଁ ପ୍ରତିଷ୍ଠିିତ ହେବା ପୂର୍ବରୁ ହିଁ କିନ୍ନର ସମାଜ ପାଇଁ କିଛି ଅଲଗା କରିବି ବୋଲି ମନସ୍ଥ କରିନେଇଥିଲି, ସଖା ମାଧ୍ୟମରେ ଅନେକ କିନ୍ନର ଆଜି ଶିକ୍ଷିତ ଓ ରୋଜଗାରକ୍ଷମ, କିନ୍ନରମାନଙ୍କୁ ମୁଖ୍ୟସ୍ରୋତ ଆଣିବା ଲାଗି ଅନେକ ଯୁଦ୍ଧ ଓ ସଂଘର୍ଷ କରି ତାଙ୍କୁ ଆଜି କିଛି ମାତ୍ରାରେ ମୁଖ୍ୟସ୍ରୋତରେ ସାମୁଲ୍ କରାଇପାରିଛି , ଭବିଷ୍ୟତରେ କିନ୍ନରମାନଙ୍କ ପାଇଁ ଏକ ବୃଦ୍ଧାଶ୍ରମ କରିବାର ମଧ୍ୟ ସ୍ୱପ୍ନ ଦେଖିଛି, ଯାହାକୁ କି ବହୁତ ଜଲଦି ପୂରା କରିବି !

 

ଓଡ଼ିଶା ନ୍ୟୁଜ୍ ଲାଇଭ୍ - ଆପଣଙ୍କ ଗୁରୁ ଶିଷ୍ୟ ପରମ୍ପରାଟି କ'ଣ ?

ସାଧନା - ଆମ ସମ୍ପ୍ରଦାୟର ଗୁରୁ ଶିଷ୍ୟ ପରମ୍ପରା ଖୁବ୍ ନିଆରା, ଆମେ ଆମ ଗୁରୁଙ୍କୁ ଭଗବାନ ପରି ପୂଜା କରୁ, ଗୁରୁଙ୍କ  ଦୀର୍ଘାୟୁ ଲାଗି ଆମେ ମୁଣ୍ଡରେ ଟିକିଲି ମଥାରେ ସିନ୍ଦୁର ଲଗାଇଥାଉ , ଗୁରୁ ନିରୋଗ ରହିବା ପାଇଁ ମଧ୍ୟ ପୂଜା କରିଥାଉ !

 

ଓଡ଼ିଶା ନ୍ୟୁଜ୍ ଲାଇଭ୍ -ସୁପ୍ରିମକୋର୍ଟ କିନ୍ନରମାନଙ୍କୁ ତୃତୀୟଲିଙ୍ଗର ମାନ୍ୟତା ଦେବାପରେ ସାମାଜିକ କ୍ଷେତ୍ରରେ କିଛି ପରିବର୍ତ୍ତନ ଅନୁଭବ କରୁଛନ୍ତି କି ?

ସାଧନା - ନିଶ୍ଚିତ ଭାବରେ ପରିବର୍ତ୍ତନ ଆସିଛି, ଆମେ ଅନେକ ମାତ୍ରାରେ ସାଧାରଣ ଜୀବନ ବିତାଇପାରୁଛୁ, ଆମକୁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ସହାୟତା କରୁଛନ୍ତି,ବିପିଏଲ୍ କାର୍ଡ ଠାରୁ ଆରମ୍ଭ କରି ଘର ମଧ୍ୟ ଯୋଗାଉଛନ୍ତି, ଆମ ପାଇଁ ସ୍ୱତନ୍ତ୍ର ପାଇଖାନା ମଧ୍ୟ ନିର୍ମାଣ କରିଛନ୍ତି, ତେବେ କିଛି ମାତ୍ରାରେ ପରିବର୍ତ୍ତନ ହୋଇଛି ବୋଲି ତ ନିଶ୍ଚିତ କହିବି, ହଁ ଆଉ କିଛି ପରବର୍ତ୍ତନ ପାଇଁ ସମୟ ନିଶ୍ଚିତ ଭାବେ ଲାଗିବ !

 

ଓଡ଼ିଶା ନ୍ୟୁଜ୍ ଲାଇଭ୍ -ବର୍ତ୍ତମାନ ଆପଣ ଜଣେ ପ୍ରତିଷ୍ଠିତ  ବ୍ୟକ୍ତିତ୍ୱ, ଆଗକୁ ପରିବାରକୁ ଫେରିବାର ଯୋଜନା ରଖିଛନ୍ତି କି ?

ସାଧନା - ମୁଁ ମୋ ପରିବାର ସହ ଜଡିତ ଅଛି, ବାପା ତ ଗ୍ରାଜୁଏସନ୍ ବେଳେ ହିଁ ଚାଲି ଯାଇଥିଲେ, କିନ୍ତୁ ବୋଉ ମୋ ସହ ଆରମ୍ଭରୁ ଅଛି, ବୋଉ ମୋ ହାତ କେବେ ବି ଛାଡିନି, ମୋ ଭଉଣୀ  ଭିଣେଇ ମତେ ବହୁତ ଭଲ ପାଆନ୍ତି, ମୋ ଭିଣେଇ ମତେ ସବୁବେଳେ କୁହନ୍ତି 'ୟୁ ଆର୍ ଦ ମୋଷ୍ଟ ବିଉଟିଫୁଲ୍ ଗାର୍ଲ ଇନ୍ ଦିସ୍ ଓ୍ୱାର୍ଲଡ୍' ଯାହା  ଶୁଣିଲେ ମତେ ବହୁତ ଗର୍ବ ଅନୁଭବ ହୁଏ, କିନ୍ତୁ ମତେ ଦୁଃଖ ଲାଗେ ଯେ ମୋର ଦୁଇ ଭାଇ ଏବେ ବି ମତେ ପଚାରନ୍ତି ନାହିଁ, ବୋଧହୁଏ ସମାଜକୁ ଡରି, କିନ୍ତୁ ମୋର ବିଶ୍ୱାସ ଅଛି କି ଦିନେ ସେ ମଧ୍ୟ ମତେ ଗ୍ରହଣ କରିବେ !

 

ଓଡ଼ିଶା ନ୍ୟୁଜ୍ ଲାଇଭ୍ - କିସରେ କାମ କରିବାର ଅନୁଭୂତି ?

ସାଧନା - କିସ୍ ରେ କାମ କରିବାର ଅନୁଭୂତି ନିଆରା ନିଶ୍ଚୟ । ମୋ ଜୀବନର ସବୁଠାରୁ ଖୁସିର ଦିନ ଥିଲା 2017ଜୁନ୍ 10ତାରିଖ, ଏହି ଦିନ ମୋ ଜନ୍ମ ଦିନ ଥିଲା, ସେ ଦିନ ମତେ ଫୋନ୍ ଆସେ ଡଃ ଅଚ୍ୟୁତ ସାମନ୍ତଙ୍କର କିସ୍ କୁ ଆସିବା ଲାଗି ! ସେଠାରେ ପହଁଞ୍ଚିଲା ପରେ ସାର ମୋତେ ଏକ ଚିଠି ଦିଅନ୍ତି କିସର ଏସଡିଓ ହେବା ଲାଗି ! ମୋ ଖୁସିର ଠିକଣା ନଥାଏ, ମୋ ଜୀବନରେ ଏକ ନୂଆ  ମୋଡ ଆଣନ୍ତି ଅଚ୍ୟୁତ ସାର୍ ! ମୋର ଛୋଟ ବେଳରୁ ଇଚ୍ଛା ଥିଲା କି କେହି ମୋତେ ମାଆ ବୋଲି  ଡାକୁ, ଆଉ ସେହି ଡାକ ପୂରଣ କରିଛନ୍ତି ଅଚ୍ୟୁତ ସାର୍ !  ଯେତେବେଳେ ମୁଁ 27,000 ପିଲାଙ୍କ ଠାରୁ ମା' ଡାକ ଶୁଣେ ଗର୍ବରେ ମୋ ଛାତି ଫୁଲି ଉଠେ, ଏହି ଅନୁଭୂତିର ସମସ୍ତ ଶ୍ରେୟ ମୁଁ ଅଚ୍ୟୁତ ସାରଙ୍କୁ ହିଁ ଦେବି !

 

ଓଡ଼ିଶା ନ୍ୟୁଜ୍ ଲାଇଭ୍ -ଏକାନ୍ତରେ ସାଧନା କ'ଣ କରନ୍ତି ?

ସାଧନା - ମୁଁ ବହୁତ ରୋମାଣ୍ଟିକ୍ ! ମୋତେ ଯଦି ସମୟ ମିଳେ ମୁଁ ମେକ୍ଅପ୍ ନିଏ, ଫଟୋ ଉଠାଏ, ଗୀତ ଗାଏ ଓ ଗୀତ ଲେଖେ, ବହି ପଢେ, ସାଙ୍ଗମାନଙ୍କ ସହ ବୁଲିବାକୁ ଯାଏ, ଫୋନରେ ବହୁତ ଗପେ, ଆଉ ସବୁଠାରୁ ଭଲ ଲାଗେ ଲଙ୍ଗ ଡ୍ରାଇଭ୍ ଯିବା । ସମୟ ମିଳିଲେ ବହୁତ ବୁଲେ !

 

ଓଡ଼ିଶା ନ୍ୟୁଜ୍ ଲାଇଭ୍ - ମଥାରେ ସିନ୍ଦୁର, ହାତରେ ଶଙ୍ଖା, ଶାଢୀର ଆଭୂଷଣରେ ଆପଣ ଖୁବ୍ ସୁନ୍ଦର, ଏସବୁ ପରିଧାନର ଉଦ୍ଦେଶ୍ୟ କଣ, ଆପଣଙ୍କ ଜୀବନରେ କେହି ସାଥୀ ମିଳିଲେନି ନା ନାହିଁ ?

ସାଧନା - ବର୍ତ୍ତମାନ ପର୍ଯ୍ୟନ୍ତ କେହି ସାଥୀ ମିଳି ନାହାନ୍ତି, ମାତ୍ର ତିନୋଟି ସାଙ୍ଗ ଅଛନ୍ତି, ଯେଉଁମାନେ କେବେ ମୋତେ ହତାଦର କରିନାହାନ୍ତି, ପ୍ରତ୍ୟେକ ମୁହୂର୍ତ୍ତରେ ମୋ ସାଥିରେ ରହିଛନ୍ତି, ତେବେ ମୁଁ ସିନ୍ଦୁର ମୋ ଗୁରୁଙ୍କ ପାଇଁ ଲଗାଏ, ସେ ଦୀର୍ଘାୟୁ, ନିରୋଗ ରହିବାଲାଗି ।  କିନ୍ତୁ ବହୁତ ଇଚ୍ଛା ଅଛି କେହି ଜଣେ ସାଥୀ ମିଳୁ ଯିଏ କି ଶୂନ୍ୟ ସାଧନାକୁ ପୂର୍ଣ୍ଣ କରିଦେଉ !

 

ଓଡ଼ିଶା ନ୍ୟୁଜ୍ ଲାଇଭ୍ - ଆପଣ ଏହି ତିନି ସାଥୀଙ୍କ ବିଷୟରେ କିଛି କହିବେ, କିପରି ଓ କେଉଁ ପରିସ୍ଥିତିରେ ଭେଟିଲେ ?

ସାଧନା - ଭୟ ଓ ଡରର ମିଶ୍ରଣରେ ଦଶମ ପାଶ୍ କରିଥାଏ, ବଡ ଭାଇ କଲେଜରେ  ଯୁକ୍ତ ଦୁଇ କଳା ବିଭାଗରେର ଆଡମିଶନ୍ କରିିଦିଅନ୍ତି ମନରେ ଅନେକ ଡର ଓ ଭୟ ମଧ୍ୟରେ କଲେଜକୁ ଯାଏ,  ଏହି ସମୟରେ ମତେ ମୋ ଜୀବନର ପ୍ରଥମ ସାଥୀ ମିଳେ, ଯାହାର ନାମ ଶୁଭେନ୍ଦୁ, ଶୁଭେନ୍ଦୁ ଗୋଟିଏ ଉଚ୍ଚ ଶିକ୍ଷିତ ପରିବାରର ସେତେବେଳେ ସେ ବୁଲେଟ୍ ଧରି କଲେଜ୍ ଆସେ, ତାର ମୋର ଭଲ ଯୋଡି ବନିଯାଏ,  ଯୁକ୍ତ ଦୁଇ ପରେ ସେ କେନ୍ଦୁଝର ଛାଡି ବାଙ୍ଗାଲୋର୍ ପଳାଇଯାଏ, ମଝିରେ ମଝିରେ ଫୋନ୍ କରେ ଆଉ ମୁଁ ତା ସହିତ ମନ ଖୋଲି କଥା ହୁଏ ! ସମୟ ସହ ତାଳ ଦେଇ ମୁଁ ମଧ୍ୟ ଆଗକୁ ବଢଚାଲିଥାଏ ! ପୁଣିଥରେ ଗ୍ରାଜୁଏସନ୍ କରିଲା ବେଳେ ଆଉ ଜଣେ ସାଥୀ ସୁଶାନ୍ତ କୁମାର ବଳିୟାରସିଂ (ଟୁଲୁ) ସହ ଭେଟ ହୁଏ, ଯିଏ ମୋ ନିଜ ଠାରୁ ମତେ ଅଧିକ ଚିହ୍ମି ପାରେ, ପ୍ରତ୍ୟେକ ମୁହୂର୍ତ୍ତରେ ସେ ମୋ ସାଥ ଦିଏ ବୋଧହୁଏ ସିଏ ନ ଥିଲେ ଆଜି 'ମୁଁ' ମୁଁ ହୋଇନଥାନ୍ତି !

 

              ତାପରେ ମୁଁ ଭୁବନେଶ୍ୱର ଏମଏସଡବ୍ଲ୍ୟ ପଢିବା ପାଇଁ ପଳାଇ ଆସେ, ଏମଏସଡବ୍ଲ୍ୟ ପଢିବାବେଳେ ଗୁଜୁରାଟରେ କାମ କରିବାର ସୁଯୋଗ ମିଳେ, ସେଠାରୁ ଫେରିଲା ପରେ 2001ରେ ଆଉ ଜଣେ ସାଥୀ ପିନୁଙ୍କସହ ମୋର ଦେଖା  ହୁଏ, ସେ ସବୁବେଳେ ଗୋଟିଏ କଥା କହେ ସୁଖରେ ତ ସମସ୍ତେ ସାଥ ଦେବେ କିନ୍ତୁ ଦଃଖରେ ଯେତେବେଳେ ଥିବୁ ସେତେବେଳେ କେବଳ ପିନୁ ହିଁ ଥିବ, ହଁ ତା ନାଁ ପିନୁ, ମୁଁ ଯେତେବେଳେ ଦୁଖରେ ଥାଏ ସେ ମୋ ପାଖରେ ଥାଏ,  କେବଳ ସେତିକି ନୁହେଁ ଆଜି ଯଦି ମୁଁ ମୋ ସମାଜ ପାଇଁ କିଛି କରି ପାରୁଛି ସେ ସବୁର କାରଣ ହେଉଛି ପିନୁ, ତା'ର ପ୍ରେରଣା ମୋତେ ଆଜି ଏଇଠି ପହଁଛି ପାରିଛି ! ଏହି ତିନି ସାଥୀ ମୋର ପ୍ରତ୍ୟେକ ମୋଡରେ ମୋର ସାଥ ଦେଇଛନ୍ତି, ଆଉ ଏଇ ତିନିଜଣ ବନ୍ଧୁତ୍ୱର ଏକ ବଡ ଉଦାହରଣ !

 

ଓଡ଼ିଶା ନ୍ୟୁଜ୍ ଲାଇଭ୍ - ଶେଷରେ ଜାଣିବାକୁ ଚାହିଁବୁ କେଉଁଥିରେ ରହିଛି ସାଧନାଙ୍କ ସାଧନାଙ୍କ ସିଦ୍ଧି ?

ସାଧନା - ମୋର ବଡ ସ୍ୱପ୍ନ ଅଛି ଗୋଟେ ବୃଦ୍ଧାଶ୍ରମ ଗୋଟେ କିନ୍ନରାଶ୍ରମ ଓ ଆଉ ଗୋଟେ ଅନାଥଶ୍ରମ କରିବା ପାଇଁ ! ଯାହାକୁ ମୁଁ ବହୁତ ଶୀଘ୍ର ପୂରା କରିବାକୁ ଯାଉଛି !

 

ଧନ୍ୟବାଦ ସାଧନା, ଆପଣଙ୍କ ବହୁମୂଲ୍ୟ ସମୟ ଲାଗି ଏବଂ ଓଡ଼ିଶା ନ୍ୟୁଜ୍ ଲାଇଭ୍ ଟିମ୍ ପକ୍ଷରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା-ଶୁଭକାମନା ଆପଣଙ୍କ ଭବିଷ୍ୟତ ଓ ସ୍ୱପ୍ନ ପାଇଁ ! 

footer
Top