logo
logo
add image
news image

ଫେସ୍ ଟୁ ଫେସରେ ଏଥରର ଅତିଥି ସୁସ୍ମିତା ଦାସ

ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ ପରଂପରାକୁ ସଂଗୀତ ମାଧ୍ୟମରେ ବିଶ୍ବସ୍ତରରେ ଅଧିକ ପ୍ରତିଷ୍ଠିତ କରିବାରେ ସେ ବ୍ରତୀ| ତାଙ୍କ ସୁଲଳିତ କଣ୍ଠସ୍ବର, ସୁମଧୁର ସଂଗୀତ ସୃଷ୍ଟିରେ ମନୋନିବେଶ, ସାହିତ୍ୟକୁ ସଂଗୀତରେ ସ୍ଥାନ ଦେବାର ଆତ୍ମିକ ପ୍ରଚେଷ୍ଟାକୁ ନେଇ ସେ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ| ସାଂପ୍ରତିକ ସଂଗୀତ ସାମ୍ରାଜ୍ୟରେ କିଛି ଖାସ୍ ଅଭିପ୍ସା ନେଇ ପାଦଥାପି ଥିଲେ, ନିଜ ଅସୁମାରୀ ସ୍ବପ୍ନକୁ ସାର୍ଥକ କରୁଥିବା ଗାୟିକା ସୁସ୍ମିତା ଦାସ ଆଜି ଫେସ୍ ଟୁ ଫେସ୍ ରେ ଆମ ଅତିଥି....

ତାଙ୍କ ସହିତ କଥା ହୋଇଛନ୍ତି ଆମ ପ୍ରତିନୀଧି ଇପସିତା ମଧୁମିତା ଦାସ|

 

ଓଡିଶା ନ୍ୟୁଜ୍ ଲାଇଭ- ସଂଗୀତ ଓ ସୁସ୍ମିତା ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ କହିଲେ ଭୁଲ ହେବ ନାହିଁ, ତେବେ ସଂଙ୍ଗୀତ ସାଧନାର ଏ ଲମ୍ବା ଯାତ୍ରାର ଆରମ୍ଭ କେମିତି ?

 

ସୁସ୍ମିତା ଦାସ- ଇଣ୍ଡଷ୍ଟ୍ରୀକୁ ଆସିଲି ଟିକେ ଡେରିରେ, ହେଲେ ସଂଗୀତ ସାଧନାର ଆରମ୍ଭ ପିଲାଟି ବେଳରୁ| ମୋତେ 5 ବର୍ଷ ବେଳକୁ ମାଙ୍କ ଠାରୁ ଆରମ୍ଭ ହୁଏ ସଂଗୀତ ଶିକ୍ଷା, ମାଆ ଥିଲେ ଜଣେ ସଂଗୀତଜ୍ଞ, ବାଳକୃଷ୍ଣ ସାରଙ୍କଠାରୁ ଶିଖିଥିଲେ, ଫିଲ୍ମରେ ବି ତାଙ୍କର ଗାଇବାର ଥିଲା, କିନ୍ତୁ ସେତେବେଳେ ରକ୍ଷଣଶୀଳ ପରିବାର ବାହାଘରକୁ ଗୁରୁତ୍ବ ଦେଇ ଘରେ ଗୀତ ଗାଇବାକୁ ମନା କରିଦେଲେ, ହେଲେ ମାଆ କିନ୍ତୁ ମୋ ମାଧ୍ୟମରେ ନିଜ ସ୍ବପ୍ନ ସାକାର କରିବାକୁ ଚେଷ୍ଟା କରିଚାଲିଲେ, ସାରାଦିନ ଘରକାମ ପରେ ଡ଼େରି ରାତିରେ ଟିକେ ସମୟ ମିଳିଲେ ମୋତେ ଶିଖାନ୍ତି, ତାପରେ ମୁଁ ଗୀତ ଗାଉଛି ଜାଣିକି ହିଁ ମୋର ବାହାଘର ବି ଠିକ୍ ହେଇଥିଲା| ଶାଶୁ ଶ୍ବଶୁରଙ୍କ ପ୍ରେରଣାରେ ମୁଁ ଗୀତ ଶିଖିଲି, ବାହାଘର ପରେ ମୋର ପ୍ରକୃତ ସଂଗୀତ ସାଧନା ଆରମ୍ଭ ହେଲା, ତାପରେ ମୁଁ ଆଉ କେବେ ପଛକୁ ଫେରି ଚାହିଁନି|

 

ଓଡିଶା ନ୍ୟୁଜ୍ ଲାଇଭ- ମାୟାଧର ମାନସିଂହଙ୍କ କବିତା ସଙ୍କଳନରୁ ପ୍ରସ୍ତୁତ - ମାୟା ଦର୍ପଣରେ କଣ୍ଠଦାନ ଆପଣଙ୍କୁୁ ସ୍ବତନ୍ତ୍ର ପରିଚୟ ଦେଇଛି, କେମିତି ଥିଲା ସେ ଅନୁଭୂତି ?

 

ସୁସ୍ମିତା ଦାସ- ମାୟା ଦର୍ପଣ, ଅନୁଭୂତି କେବେ ମୁଁ ଭୁଲି ପାରିବିନି କି ଭୁଲିବାକୁ ବି ଚାହିଁନି, ଏପର୍ଯ଼୍ୟନ୍ତ ଯ଼େତେ ଯ଼ାହା କାମ କଲେବି ମୋତେ ଲାଗେ, ମୋର ସଂଗୀତର ଗୁରୁ ହେଉଛି ମାୟାଧର ମାନସିଂହଙ୍କ କବିତା, ମୋତେ ହାତଧରି ଏତେ ବାଟ ଆଣିଛି ମାୟା ଦର୍ପଣ| ସେ ଅନୁଭୂତି ସେତେବେଳେ ଖାସ୍ ହୋଇ ରହିବ| ଏବେ ବି ସ୍ପଷ୍ଟ ମନେଅଛି, ମୁଁ ଡେହେରାଡୁନ୍ ରୁ ଓଡ଼ିଶା ଆସିଥାଏ, ବଡ଼ ମାମୁଁ କହିଲେ - ତୁ ମାୟାଧର ମାନସିଂହଙ୍କ କବିତାରେ କଣ୍ଠଦାନ କରିବୁ| ମାମୁଁଙ୍କ ଏହି କଥା ଶୁଣି ମୁଁ ଖୁସି ହେଇଯ଼ାଇଥିଲି| ମୋ ବଡ଼ ମାମୁଁ ଥିଲେ ସେସମୟରେ ଆମେରିକାରେ, ମାୟାଧର ମାନସିଂହଙ୍କ ପୁଅ ଲଳିତ ମାନସିଂହ, ଲଲାଟେନ୍ଦୁ ମାନସିଂହ ବଡ଼ ମାମୁଁଙ୍କ ଘନିଷ୍ଠ ବନ୍ଧୁଥିଲେ, ତାଙ୍କ ପ୍ରରୋଚନାରେ ମୁଁ ମାୟାଧର ମାନସିଂହଙ୍କ କବିତା ସଂସ୍ପର୍ଶରେ ଆସିଲି, କଣ୍ଠଦାନର ସୁଯ଼ୋଗ ପାଇଲି, ଆଗରୁ ଯ଼ଦିଓ  ପଢ଼ିଥିଲି ତାଙ୍କ କବିତା - ମହାନଦୀରେ ଜ୍ୟୋତ୍ସ୍ନା ବିହାର,ବିଶେଷ କିଛି ଧାରଣା ନଥିଲା| ତଥାପି ମାୟାଧର ମାନସିଂହଙ୍କ ସୁପରିଚିତ ନାଁ, ଆଉ ତାଙ୍କ ଗୀତ ଗାଇବି ବୋଲି ମୁଁ ବହୁତ ଖୁସି ଥିଲି| ସେ ସମୟରେ ମୁଁ ଓମ୍ ପ୍ରକାଶ ମହାନ୍ତିଙ୍କ ସଂସ୍ପର୍ଶରେ ଆସିଲି, ଦେବଦାସ ଛୋଟରାୟ ବି ଏଥିରେ ସଂପୃକ୍ତ ଥିଲେ, ସେମାନେ ପ୍ରକୃତରେ ମୋତେ ବହୁତ ଉତ୍ସାହିତ କରିଛନ୍ତି, ତାପରେ ଆରମ୍ଭ ହେଲା ମାୟାଧର ମାନସିଂହଙ୍କ କବିତା- ମାୟା ଦର୍ପଣ| ଯ଼ାହା ଆଜି ଏକ ଅଭୁଲା ସ୍ମୃତି| ସେ ସମୟରେ ବିରାଟ ବଡ଼ ଅଡ଼ିଟୋରିୟମରେ ପ୍ରଥମେ 2 ହଜାର ଲୋକଙ୍କ ସମାଗମରେ ପରିବେଷଣ କଲି ମାୟା ଦର୍ପଣର ଗୀତ, ଲୋକେ ବହୁତ ପ୍ରଶଂସା କରିଥିଲେ, ଲୋକମାନେ ଆଶ୍ଚର୍ଯ଼୍ୟ ହୋଇଥିଲେ ଯେ, କବିତାକୁ ଗତାନୁଗତିକ ଧାରାରେ ସଂଗୀତର ରୂପ ଦେବା କେମିତି ସମ୍ଭବ ହେଲା| କାରଣ ମାୟା ଦର୍ପଣରେ ସେ ଗୀତଗୁଡ଼ିକ ଏତେ ମନଛୁଆଁ ଆଉ ସୁମଧୁର ଆପଣ କେବେ ବୋର୍ ହେବେନି, ଯ଼େତେ ଶୁଣିବେ ଆଉ ଯ଼େବେ ବି ଶୁଣିବେ ନୂଆଁ ହିଁ ଲାଗିବ,ଏପର୍ଯ୍ୟନ୍ତ ଲୋକେ ସୁସ୍ମିତା ଦାସ କହିଲେ ମାୟା ଦର୍ପଣକୁ ହିଁ ମନେ ପକାନ୍ତି|

 

ଓଡିଶା ନ୍ୟୁଜ୍ ଲାଇଭ୍- ଓଡ଼ିଶାରେ ବର୍ତ୍ତମାନର ସଂଗୀତ ଓ ଏହା ସହ ଜଡ଼ିତ ସ୍ଥିତିକୁ ନେଇ ଆପଣଙ୍କ ମତାମତ କଣ? 

 

ସୁସ୍ମିତା ଦାସ- ଓଡ଼ିଶାରେ ମୁଁ ଯେତେବେଳେ ସଂଗୀତ ଯାତ୍ରା ଆରମ୍ଭ କଲି ପରିସ୍ଥିତି ବହୁତ ଖରାପ|ଅନେକ ଗୀତ ନିମ୍ନମାନର ହେଉଥିଲା, ଯେଉଁମାନେ ଭଲ ଲେଖୁଥିଲେ ସେମାନେ ଆଗକୁ ଆସି ପାରୁନଥିଲେ, କିନ୍ତୁ ମୋତେ ଭାରି ଖୁସି ଲାଗୁଛି ଏବେ ଏଫ୍.ଏମ୍ ଚ୍ୟାନେଲ ଆସିଲାଣି, ସବୁ ଟିଭିର ଗୋଟିଏ ଲେଖାଏଁ ୟୁଟ୍ୟୁବ୍ ଚ୍ୟାନେଲ ଆସିଲାଣି, ଧିରେ ଧିରେ ଭଲ ଭଲ ଗୀତ ଆସୁଛି, ବର୍ତ୍ତମାନର ପିଢ଼ୀ ଓଡ଼ିଆରେ ଗୀତ ଲେଖୁଛନ୍ତି, ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି ପିଲାମାନେ ବହୁସଂଖ୍ୟାରେ ଓଡ଼ିଆ କବିତା ଲେଖୁଛନ୍ତି,ଆମେ କହିପାରିବା ଓଡ଼ିଆ ସଂଗୀତ ପାଇଁ ଏହା ଏକ ଶୁଭ ସଂକେତ| 

 

ଓଡିଶା ନ୍ୟୁଜ୍ ଲାଇଭ୍- କଣ କରାଗଲେ ଓଡ଼ିଶାରେ ସଙ୍ଗୀତର ମାନରେ ବୃଦ୍ଧି ଘଟନ୍ତା ବୋଲି ଆପଣ ମନେକରନ୍ତି ?

 

ସୁସ୍ମିତା ଦାସ- ଓଡ଼ିଆ ସଂଗୀତର ମାନବୃଦ୍ଧି ହେବ ଯ଼ଦି ଆମେ ସମସ୍ତେ ମିଳିମିଳି ଆମ ପାଖରେ ଯ଼ାହା ଭଲ ଅଛି ତାହାର ପ୍ରଚାର ପ୍ରସାର କରିବା| ଓଡ଼ିଆ ଗୀତ ଓ ସଂଗୀତର ମାନବୃଦ୍ଧି ସହ ବିଭିନ୍ନ ସ୍ତରରେ ସଂଗୀତର ଆଦୃତି ବଢ଼ିବ| ମୋର ଗୋଟିଏ ଗୀତ ଅଛି, ଆଉ ନକର କାହା ଆଗା ଗୁହାରୀ, ନିଜେ ନ ମଲେ କିବା ମିଳେ ଶ୍ରୀହରି.... ଏହା ଏକ ଗୀତ ନୁହେଁ, ଅଭିବ୍ୟକ୍ତି, ଆମ ପାଖରେ ସବୁ ଅଛି, କାହିଁକି ଆମ ସଂଗୀତ ଓ ଆମ ସୁନ୍ଦର ସାଂସ୍କୃତିକ ପରଂପରାକୁ ନେଇ ଗର୍ବ ଅନୁଭବ ନକରିବା |ମୁଁ ସବୁବେଳେ ମୋର ଭାଷା,ରାଜ୍ୟ, ଓଡ଼ିଆତ୍ବର ପରିଚୟକୁ ନେଇ ଗର୍ବ ଅନୁଭବ କରେ|

 

ଓଡିଶା ନ୍ୟୁଜ୍ ଲାଇଭ୍- ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ମଞ୍ଚରେ ଓ ଅବସରରେ ଆପଣ ସଂଗୀତ ପରିବେଷଣ କରନ୍ତି, ତେବେ କେଉଁଠି ଅଧିକ ତୃପ୍ତି ମିଳେ?

 

ସୁସ୍ମିତା ଦାସ- ମୋତେ ଯଦି କହିବେ, ଆପଣଙ୍କ ଦୁଇ ଝିଅଙ୍କ ଭିତରୁ କାହାକୁ ବେଶି ଭଲ ଲାଗେ କହିପାରିବିନି| ସେମିତି ସଂଗୀତ ମୋର ଜୀବନ| ମୁଁ ଯେଉଁଠିକି ଯାଏ,ସେଠାକାର ଦର୍ଶକଙ୍କ ଅନୁସାରେ ସଂଗୀତ ପରିବେଷଣ କରେ, ଉଭୟରେ ମାଧୁର୍ଯ଼୍ୟ ଭିନ୍ନ ଭିନ୍ନ|ମୋର ଭାଗ୍ୟ ସବୁଠି ଆଜିପର୍ଯ୍ୟନ୍ତ ମୋତେ ସ୍ନେହ, ପ୍ରେମ, ସମ୍ମାନ ମିଳିଛି| 

 

ଓଡିଶା ନ୍ୟୁଜ୍ ଲାଇଭ୍-ଆପଣଙ୍କ କଣ୍ଠସ୍ୱର ଯେ ନିଆରା ନିସନ୍ଦେହ, ତେବେ ଆପଣ ଗାଇଥିବା ଏମିତି ବହୁ ଗୀତ ଅଛି ଯେଉଁଥିରେ ଥାଏ ଓଡ଼ିଶାର କଥା ଓ ଓଡ଼ିଆଙ୍କ କଥା, ଏହାକୁ ଆମେ କଣ ବୋଲି ଭାବିବୁ, ଏହା ଏକ ଉଦ୍ୟମ ଓଡ଼ିଆ ଭାବକୁ ସଙ୍ଗୀତରେ ସ୍ଥାନ ଦେବା, ନା ଆଉ କିଛି ?

 

ସୁସ୍ମିତା ଦାସ- ଓଡ଼ିଶାର ଭାବ, ଭାଷା, ସାହିତ୍ୟ ଓ ସଂସ୍କୃତି ଏତେ ସଂମୃଦ୍ଧ ଓ ଖ୍ୟାତିସଂପନ୍ନ ଯେ, ବିଭିନ୍ନ ମାଧ୍ୟମରେ ବିଭିନ୍ନ ପ୍ରକାରରେ ଲୋକଙ୍କ ପାଖରେ ପହଂଚିବା ଜରୁରୀ| ମୁଁ ସଂଗୀତ ଆକାରରେ ଓଡ଼ିଆ ସାହିତ୍ୟକୁ ସାଧାରଣରେ ପହଂଚାଇବା ଚେଷ୍ଟା ଜାରି ରଖିଛି| ସାହିତ୍ୟ ଆଧାରରେ ଯ଼ଦି ସିନେମା ହେଉଛି ସଂଗୀତ କାହିଁକି ନହେବ!

 

ଓଡିଶା ନ୍ୟୁଜ୍ ଲାଇଭ୍- ସଂଗୀତ ସାଧନା ସହିତ ଆଉ କଣ କରିବା ଆପଣଙ୍କୁ ଭଲ ଲାଗେ ଓ ସୁସ୍ମିତା ଦାସଙ୍କ ସ୍ୱପ୍ନ କଣ  ?

 

ସୁସ୍ମିତା ଦାସ- ସ୍ବପ୍ନ ତ ଅନେକ| ମୁଁ  ତ ମୋର ସ୍ବପ୍ନ ରାଜ୍ୟରେ ହିଁ ଥାଏ, ଏବେ ମୁଁ ଯ଼ାହା କରୁଛି ମୋର ସ୍ବପ୍ନକୁ ହିଁ ସାକାର କରୁଛି| ମୁଁ ଲୋକଙ୍କ ସହ ମିଶିବାକୁ ଭଲପାଏ, ଭ୍ରମଣ ପ୍ରିୟ, ବଣ ଜଂଗଲ ବୁଲିବାକୁ ଭଲଲାଗେ, ନୂଆ ନୂଆ ଅଂଚଳରେ ଲୋକଙ୍କ ସହ ମିଶି ସେମାନଙ୍କ ଜୀବନଶୈଳୀ ସଂପର୍କରେ ତଥ୍ୟ ସଂଗ୍ରହ ଆଗ୍ରହ ବି ରହିଛି|ସିନେମା ଦେଖିବାକୁ ବି ବହୁତ ଭଲଲାଗେ| 

 

ଓଡିଶା ନ୍ୟୁଜ୍ ଲାଇଭ୍- ଓଡ଼ିଆ ସଂଗୀତ ଜଗତରେ ତ୍ରିମୂର୍ତ୍ତି କୁହିଲେ, ଦେବଦାସ ଛୋଟରାୟ, ଓମ୍ ପ୍ରକାଶ ମହାନ୍ତି ଏବଂ ସୁସ୍ମିତା ଦାସଙ୍କ ଛବି ଆପେଆପେ ଆଗକୁ ଆସେ, ସେ ହାତୀ ସଜ କର ... ହେଉ କି ଗୋଟିଏ ଶାରୀ.....ସବୁ ଗୀତ ଗୁଡ଼ିକ ଶ୍ରୋତାଙ୍କ ମନ ଜିଣିଛି, ତେବେ ଏ ସଫଳ କମ୍ବିନେସନ ପଛର ରହସ୍ୟଟି କଣ ?

 

ସୁସ୍ମିତା ଦାସ- ରହସ୍ୟ ହେଉଛି-- ପେଶାଦାର ମନେଭାବ, ପରସ୍ପର ପ୍ରତି ସମ୍ମାନ ଓ ଭଲପାଇବା | ଆମେ ତିନିଜଣ ନିଜ ନିଜ ବୃତ୍ତି ଓ କର୍ତ୍ତବ୍ୟ ଲାଗି ବିଶେଷ ଯତ୍ନବାନ, ଯେତେବେଳେ କୌଣସି ପ୍ରୋଜେକ୍ଟରେ କାମ ଆରମ୍ଭ କରୁ, ସମସ୍ତେ ଧାର୍ଯ୍ୟ ସମୟସୀମା ଭିତରେ କାମ ଶେଷକରୁ| ତେଣୁ ଆଶାନୁରୂପ ସଫଳତା ବି ମିଳେ| ପରସ୍ପର ଭିତରେ ସମନ୍ବୟ ହିଁ ସଫଳତାର ମାନଦଣ୍ଡ|

 

ଓଡିଶା ନ୍ୟୁଜ୍ ଲାଇଭ୍- ସଂଙ୍ଗୀତକୁ ନେଇ କ୍ୟାରିୟର କରୁଥିବା ଯୁବପୀଢ଼ିକୁ ଆପଣ କଣ ପରାମର୍ଶ ଦେବେ?

 

ସୁସ୍ମିତା ଦାସ- ପ୍ରତ୍ୟେକ କ୍ଷେତ୍ରରେ ଆଜିକାଲି ପ୍ରତିଦ୍ବନ୍ଦିତା ତୀବ୍ର| ପ୍ରତିଯ଼ୋଗିତାର ଏହି ଦୁନିଆରେ ସଂଗୀତ ପାଇଁ ଆଗ୍ରହୀ ପିଲାମାନେ ବିଧିବଦ୍ଧ ତାଲିମ ନେବା ଜରୁରୀ| ଲୋକଙ୍କ ପାଖରେ ସ୍ମାର୍ଟ କାମ କରିବାକୁ ଇଣ୍ଟରନେଟ ଅଛି, ପିଲାଙ୍କ ବହୁତ ଟ୍ୟାଲେଣ୍ଟ ଅଛି, ତେଣୁ ସେମାନଙ୍କୁ ଡେଡ଼ିକେଟେଡ଼ ହୋଇ ଶିଖିବାକୁ ପଡ଼ିବ, ନିଜ ଭିତରେ ବିଶ୍ବାସ ଓ ଦୃଢ଼ ମନେଭାବ ରଖିଲେ ସଂଗୀତ ସାଧନା କରିପାରିବେ|

 

ଓଡିଶା ନ୍ୟୁଜ୍ ଲାଇଭ୍- ଗୋଟିଏ ପଟେ ସଙ୍ଗୀତ ଆଉ ଗୋଟିଏ ପଟେ ପରିବାର, ବାଲାନ୍ସ କରନ୍ତି କିପରି ଆଉ ଆପଣଙ୍କ ଫିଟନେସର ରାଜ କଣ ? 

 

ସୁସ୍ମିତା ଦାସ-ସମସ୍ତେ ସମସ୍ତଙ୍କୁ ସହଯ଼ୋଗ କରିଲେ, ବହୁତ ସୁରୁଖୁରୁରେ ସମୟ ବିନିଯ଼ୋଗ କରିହୁଏ| 24 ଘଣ୍ଟା ସମୟ  ତ ଦେଇଛନ୍ତି ନା ଭଗବାନ! ମୁଁ ଭାବେ ବିଜି ରହୁଥିବା ଲୋକ ହିଁ ସବୁକାମ ପାଇଁ ସମୟ ବାହାର କରି ପାରେ| ପରିବାରରେ ସମସ୍ତେ ମୋର କାମକୁ ବୁଝନ୍ତି, କେତେବେଳେ କିଛି ଅସୁବିଧା ହେଲେ ମିଳିମିଶି ଆଡ଼ଜଷ୍ଟ କରି ସମ୍ଭାଳି ନେଉ|

 

ଓଡିଶା ନ୍ୟଜ୍ ଲାଇଭ୍- ଫୁରସତରେ ସୁସ୍ମିତା ଦାସ କଣ କରନ୍ତି ଓ ଆପଣଙ୍କ ମନ ପସନ୍ଦର ଖାଦ୍ୟ ଏବଂ ଦର୍ଶନୀୟ ସ୍ଥାନ ବିଷୟରେ ଜାଣିବାକୁ ଚାହିଁବୁ ନିଶ୍ଚୟ?

 

ସୁସ୍ମିତା ଦାସ- ମୁଁ ଭାରି ଖୁସିବାସିଆ ଲୋକ, ଜମା ଦୁଃଖରେ ରହିପାରେନି, କିଛି କଥାରେ ମନ ଦୁଃଖ ହେଲାମାନେ କେମିତି ମନ ଭଲ କରିବି ଲାଗିପଡେ| ସାଙ୍ଗମାନଙ୍କ ସହ ଗପେ, ନିରୋଗ ରହିବାକୁ ଭଲପାଏ, ଏବଂ ଜୀବନର ସବୁ ଜିନିଷ ଉପଭୋଗ କରିବାକୁ ଭଲପାଏ| ବହି ପଢ଼େ, ଗୀତ ଶୁଣେ,ଫୁରସତରେ ଟିକେ ଏକାନ୍ତ ସମୟ ବିତାଏ| ଖାଇବାରେ ମୁଁ ଖାଣ୍ଟି ଓଡ଼ିଆଣୀ, ସାଧାରଣ ଖାଇବା ଯ଼େମିତିକି ଡାଲମା, ସନ୍ତୁଳା ମୋର ପ୍ରିୟ|

 

ଓଡିଶା ନ୍ୟଜ୍ ଲାଇଭ୍-ଗାୟିକା ନହୋଇ ଥିଲେ ସୁସ୍ମିତା ଦାସ କ'ଣ ହୋଇଥାଆନ୍ତେ ?

 

ସୁସ୍ମିତା ଦାସ- ଗାୟିକା ନହୋଇଥିଲେ ବୋଧହୁଏ ମୋର ଫିଟନସ ସେଣ୍ଟର କାମ କରୁଥାନ୍ତି| ମୋତେ ଭଲ ଲାଗେ ଲେଡ଼ିସ ମାନେ ଆସନ୍ତି, ଏକ୍ସରସାଇଜ୍ କରନ୍ତି| ଦୀର୍ଘ 15 ବର୍ଷରୁ ବେଶି ହେଲାଣି ଭୁବନେଶ୍ବରରେ ମୋର ଏକ ହେଲଥ ଅରଗାନାଇଜେସନ୍ ଅଛି, ମିଟୁ ଏରୋବିକ୍ସ କ୍ଲବ ଓ ଫିଟନେସ ସେଣ୍ଟରରେ ଏବେବି 50ରୁ ଅଧିକ ମହିଳା ଶିଖିବାକୁ ଆସୁଛନ୍ତି|ଫିଟୁନେସ ଗୁରୁ ଅଛନ୍ତି ଯ଼େଉଁମାନେ ଆବଶ୍ୟକତା ଅନୁସାରେ ଯୋଗ, ଏରୋବିକ୍ସ ଓ ଜୁମ୍ବା ଆଦି କ୍ଲାସ ନେଉଛନ୍ତି| ମୁଁ କିନ୍ତୁ ଏବେ ବ୍ୟକ୍ତିଗତ ଭାବେ ସେଣ୍ଟର ପାଇଁ ସମୟ ଦେଇ ପାରୁନି|

 

ଓଡିଶା ନ୍ୟଜ୍ ଲାଇଭ୍- ଆପଣଙ୍କର ଏ ଲମ୍ବା ସଙ୍ଗୀତ ଯାତ୍ରାର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତକୁ ଆମ ଦର୍ଶକଙ୍କ ସହ ବାଣ୍ଟିବେ କି?

 

ସୁସ୍ମିତା ଦାସ-ମୋ ପାଇଁ ପ୍ରତ୍ୟେକ ସଂଗୀତରେ କଣ୍ଠଦାନ ଓ ଏହା ସଂଲଗ୍ନ ପ୍ରକ୍ରିୟା ସ୍ମରଣୀୟ | ମୁଁ ଯ଼େମିତି କହିଲି, ମାୟାଧର ମାନସିଂହଙ୍କ ମାୟାଦର୍ପଣ ସଂଗୀତ ଯ଼ାତ୍ରାରେ ମୋର ଗୁରୁ| ସେମିତି ବିଶ୍ବାସ କରନ୍ତୁ, ଯ଼େତେବେଳେ ଗୋଟିଏ ଗୋଟିଏ ସିଡ଼ି ରିଲିଜ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ଗୋଟିଏ ଗୋଟିଏ ପରୀକ୍ଷା ଭଳି ଲାଗେ| ତେଣୁ ସମାନ ଆଗ୍ରହ, ନିଷ୍ଠା ଓ ପରିଶ୍ରମ ନେଇ ମୁଁ ପ୍ରତ୍ୟେକ କାମ କରେ| 

 

ଓଡିଶା ନ୍ୟଜ୍ ଲାଇଭ୍-ଶେଷ ପ୍ରଶ୍ନ, ସୁସ୍ମିତା ଦାସଙ୍କର ସଙ୍ଗୀତକୁ ନେଇ ଭବିଷ୍ୟତ ଯୋଜନା କ'ଣ ?

 

ସୁସ୍ମିତା ଦାସ--ବଂଚିଥିବା ଯ଼ାଏଁ ଗୀତ ଗାଉଥିବି, କାମ କରି ଚାଲିଥିବି|ଏବେ ହରପ୍ରସାଦ ଦାସଙ୍କ ସହ ଚଉଷଠୀ ଯ଼ୋଗିନୀ ଉପରେ ଏକ କାମ ଚାଲିଛି| ଖୁବଶୀଘ୍ର ସିଡ଼ି ରିଲିଜ ହେବ| ଗାଇବା ସହିତ ମୋର ପ୍ରଡ଼କ୍ସନ ହାଉସ ଅଛି, ପ୍ରାୟ ପ୍ରତ୍ୟେକ ସିଡ଼ି ମିଟୁସ୍ ମ୍ୟୁଜିକ୍ ବ୍ୟାନରରେ ହିଁ ରିଲିଜ ହେଉଛି| ଜନସଚେତନତା କାର୍ଯ୍ୟକ୍ରମ ଗୁଡ଼ିକରେ ସାମିଲ ହୋଇ ରାଜ୍ୟ ତଥା ବାହାରେ ସଂଗୀତ ପରିବେଷଣ କାର୍ଯ୍ୟକ୍ରମ ଜାରି ରହିଛି ଓ ଆଗକୁ ମଧ୍ୟ ରହିବ|

 

ଓଡ଼ିଶା ନ୍ୟୁଜ ଲାଇଭକୁ ଆପଣଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ|

footer
Top