logo
logo
add image
news image

ଫେସ୍ ଟୁ ଫେସରେ ଏଥରର ଅତିଥି ଡ଼. ମୃଣାଳ ଚାଟାର୍ଜି

ଡ଼. ମୃଣାଳ ଚାଟାର୍ଜି, ଗୋଟିଏ ନାଁ ନୁହେଁ ତ ଅନୁଷ୍ଠାନ କହିଲେ ଅତ୍ୟୁକ୍ତି ହେବ ନାହିଁ, ଅନେକ ଗୁଣର ଅଧିକାରୀ ଏହି ବିଶେଷ ବ୍ୟକ୍ତିତ୍ୱଙ୍କ ବିଷୟରେ ଜାଣିବାକୁ ଆମେ ଚେଷ୍ଟା କରିଥିଲୁ, ଆଉ ଜାଣିବାକୁ ଚାହିଁଥିଲୁ ତାଙ୍କର ଏଯ଼ାବତର ଜୀବନଯ଼ାତ୍ରା ଓ ଭବିଷ୍ୟତ ଯ଼ୋଜନା ସମ୍ପର୍କରେ...ଡ଼. ମୃଣାଳ ଚାଟାର୍ଜିଙ୍କ ସହ କଥା ହୋଇଥିଲେ ଆମ ପ୍ରତିନିଧି ଈପସିତା ମଧୁମିତା ଦାସ

 

 

ଓଡ଼ିଶା ନ୍ୟୁଜ ଲାଇଭ୍ - ଏକାଧାରରେ ଆପଣ ଜଣେ ବରିଷ୍ଠ ସାମ୍ବାଦିକ, ପ୍ରାଧ୍ୟାପକ, ଲେଖକ, ସ୍ତମ୍ଭକାର, ଉଦଘୋଷକ ଓ ଭାରତୀୟ ଜନସଂଚାର ସଂସ୍ଥାନ, ଢ଼େଙ୍କାନାଳର ମୁଖ୍ୟ ମଧ୍ୟ, ଏ ଲମ୍ବା କର୍ମମୟ ଜୀବନଯାତ୍ରାକୁ ସଂକ୍ଷେପରେ ଆମ ପାଠକଙ୍କ ସହ ବାଣ୍ଟିବେ କି?

 

ଡ଼. ମୃଣାଳ ଚାଟାର୍ଜି - ମଣିଷ ଜୀବନରେ ବାର କାମ କରେ| କେହି କିଛି ଅଧିକ କାମ କରିବାର ସୁଯୋଗ ପାଏ କିମ୍ବା ଇଚ୍ଛା କରି କରେ କିମ୍ବା ଅବସ୍ଥା ଚକ୍ରରେ କରିବାକୁ ପଡ଼େ| ମୁଁ ନିମ୍ନ ମଧ୍ୟବିତ୍ତ ପରିବାରର ପିଲା| କଟକ ରେଭେନସା କଲେଜକୁ ଏମ୍ଏ ପଢ଼ିବାକୁ ଆସିଲାବେଳେ ଆକାଶବାଣୀର ସାମୟିକ ଉଦଘୋଷକ ପଦର ବିଜ୍ଞାପନ ବାହାରିଥାଏ| ରେଡ଼ିଓରେ ଉଦଘୋଷଣା କଲେ ପାଞ୍ଚ ଲୋକ ଚିହ୍ନିବେ ଏବଂ ଏଥିରୁ କିଛି ଅର୍ଥ ବି ଉପାର୍ଜନ ହେବ - ଏ ଦୁଇଟି ଉଦ୍ଦେଶ୍ୟ ନେଇ ଆବେଦନ କଲି|  ମନୋନୀତ ହେଲି|  ରେଡ଼ିଓରେ କାମକରି ପରେ ଟେଲିଭିଜନରେ ସାମୟିକ ସମ୍ବାଦପାଠକ ହେଲି|  ଇଂରାଜୀରେ ଏମ୍ଏ ପରୀକ୍ଷା ଦେଇ କସରଦା କଲେଜରେ ଶିକ୍ଷକତା କିଛିଦିନ କଲି, ପାସ୍ ପରେ ଭୁବନେଶ୍ବରର ମହର୍ଷି ମହାବିଦ୍ୟାଳୟରେ | ସେଠି କାମ କରୁଥାଏ, ଆଡ଼ହକ୍ ଆପୟଣ୍ଟମେଣ୍ଟ ଆସିଲା 

ପଟ୍ଟାମୁଣ୍ଡାଇ କଲେଜରେ ଯୋଗଦେବା ପାଇଁ| ଇଆଡ଼େ ସେତେବେଳେ ସମ୍ବାଦ ପାଇଁ ବି ବିଜ୍ଞାପନ ବାହାରିଥିଲା| ସାମ୍ବାଦିକତା ବିଷୟଟା କଣ ପିଲାବେଳୁ ଖବରକାଗଜ ପଢ଼ି ସେ ବିଷୟରେ ଅସ୍ବଚ୍ଛ ଧାରଣା ଥାଏ ମୋର| କିନ୍ତୁ ନୂଆ କିଛି କରିବାର ଇଚ୍ଛାରେ ସମ୍ବାଦରେ ଯୋଗ ଦେଲି| ସାମ୍ବାଦିକତାରେ ଗୋଟେ ନିଶା ଅଛି| ସେ ନିଶାରେ କଟିଗଲା 15 ବର୍ଷ| ବାଲେଶ୍ବରରେ ସମ୍ବାଦର ଉତ୍ତର ଓଡ଼ିଶା ସଂସ୍କରଣର ଏଡ଼ିସନ୍ ଇନଚାର୍ଯ ଥାଏ, ଲାଗିଲା ବହୁତ ହେଇଗଲା ଏବେ ଗୋଟେ ପରିବର୍ତ୍ତନ ଦରକାର| ଭାରତୀୟ ଜନସଂଚାର ସଂସ୍ଥାନରେ ଆସୋସିଏଟ ପ୍ରଫେସର ଭାବେ ଯୋଗଦେଲି| ତାପରେ ପିଏଚଡ଼ି କଲି, ପ୍ରଫେସର ହେଲି| ଗଣମାଧ୍ୟମକୁ ନେଇ ଛଅ ଖଣ୍ଡ ବହି ଲେଖିଲିଣି| ଦେଖୁ ଦେଖୁ ଏଠି 18 ବର୍ଷ ବିତିଗଲାଣି| 

 

ଓଡ଼ିଶା ନ୍ୟୁଜ ଲାଇଭ୍ - ବେଶ କିଛି ଦଶନ୍ଧି ଧରି ଆପଣ ସାମ୍ବାଦିକତା ବା ଗଣଯୋଗାଯୋଗ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିଆସୁଛନ୍ତି, ତେବେ ବର୍ତମାନ ଓ ସେବେର ଶିକ୍ଷା ବ୍ୟବସ୍ଥା ଓ ଛାତ୍ରଛାତ୍ରୀଙ୍କୁ କିଭଳି ମୂଲ୍ୟାୟନ କରିବେ?

 

ଡ଼. ମୃଣାଳ ଚାଟାର୍ଜି - ସାମ୍ବାଦିକତାର ମୌଳିକ ବିଭବରେ ପରିବର୍ତ୍ତନ ହୋଇନି| ପରିବର୍ତ୍ତନ ହୋଇଛି ଆଙ୍ଗିକ ଆଉ କାରିଗରୀ ଜ୍ଞାନକୌଶଳରେ | ସାମ୍ବାଦିକତା କ୍ରମଶଃ ଟେକ୍ନୋଲୋଜି ବିଷୟ ହୋଇ ଉଠୁଛି| ଏଥିପାଇଁ ଆବଶ୍ୟକ କାରିଗରୀ ଜ୍ଞାନକୌଶଳ ଜାଣିବା ବହୁତ ବେଶି ଦରକାର ହୋଇପଡ଼ିଛି ଏବେ| 

 

ଓଡ଼ିଶା ନ୍ୟୁଜ ଲାଇଭ୍ -  ସାମ୍ବାଦିକତା ଶିକ୍ଷା ଓ ବାସ୍ତବ ଜୀବନର ସାମ୍ବାଦିକତା କ୍ଷେତ୍ରରେ ଥିବା ଅସଲ ଯାତ୍ରାକୁ ଆପଣ କିଭିଳି ଦେଖନ୍ତି?

 

ଡ଼. ମୃଣାଳ ଚାଟାର୍ଜି - ଆପଣ ଯଦି ବିଷୟଟିକୁ ପୋଥି ବାଇଗଣ, ବାଡ଼ି ବାଇଗଣ ଭାବେ ଦେଖିବାକୁ ଚାହିଁବେ- ତାହେଲେ ଠିକ୍ ହେବନାହିଁ| ମୁଁ ଆଗେ ବାଡ଼ି ଦେଖିଛି, ପରେ ପୋଥି ଦେଖିଲି| ସାମ୍ବାଦିକତା ଶିକ୍ଷାରେ ସାମ୍ବାଦିକତା କିଭଳି ହେବା କଥା ବା ଉଚିତ୍ ସେଇ ବିଷୟଟି ଉପରେ ଅଧିକ ଗୁରୁତ୍ବ ଦିଆଯାଏ| ବାସ୍ତବରେ ଅନେକ ଗୁଡ଼ିଏ ଫ୍ୟାକ୍ଟର ଯୋଗୁଁ ଯାହା ହେବା କଥା ବା ଉଚିତ୍ - ତାହା କରାଯାଇ ପାରେନାହିଁ| ସେଇ ଫ୍ୟାକ୍ଟରଗୁଡ଼ିକ ମଧ୍ୟ ପାଠ୍ୟକ୍ରମରେ ପଢ଼ାଯିବା ଉଚିତ୍ ବା ଅଧ୍ୟାପକମାନେ ଆଲୋଚନା କରିବା ଉଚିତ୍| ଆମ ସଂସ୍ଥାନରେ (ଭାରତୀୟ ଜନସଂଚାର ସଂସ୍ଥାନ) ଏସବୁ ଆଲୋଚନା କରାଯାଏ| ତାହେଲେ ଶିକ୍ଷାନୁଷ୍ଠାନରୁ ବାହାରି ଇଣ୍ଡଷ୍ଟ୍ରୀରେ ପଶିଲାବେଳେ ଗୋଟେ ଅଲଗା ଦୁନିଆରେ ଆସି ପହଞ୍ଚିଲି ବୋଲି ଲାଗିବ ନାହିଁ| 

 

ଓଡ଼ିଶା ନ୍ୟୁଜ ଲାଇଭ୍ - ବିଭିନ୍ନ ଗଣମାଧ୍ୟମରେ ଆପଣଙ୍କ ଲେଖା ପ୍ରକାଶ ପାଉଥିବାବେଳେ, ରେଡ଼ିଓ ଓ ଟେଲିଭିଜନ ଦୁନିଆରେ ବି ଆପଣ ଜଣେ ପରିଚିତ ବ୍ୟକ୍ତିତ୍ୱ, ବ୍ୟକ୍ତିଗତ ଭାବେ କେଉଁ ମାଧ୍ୟମରେ ଆପଣଙ୍କ ଅଂଶଗ୍ରହଣ ଆପଣଙ୍କୁ ସନ୍ତୁଷ୍ଟି ଦିଏ?

 

ଡ଼. ମୃଣାଳ ଚାଟାର୍ଜି - ରେଡ଼ିଓ, ଟେଲିଭିଜନ, ଖବରକାଗଜ ତିନୋଟି ମାଧ୍ୟମରେ କାମ କରିଛି| ୱେବ୍ ରେ ଲେଖୁଛି| ପ୍ରତ୍ୟେକ ମାଧ୍ୟମର ନିଜସ୍ବ ଶକ୍ତି ଓ ନିଜସ୍ବ ଆକର୍ଷଣ ଅଛି| ସତ କହିଲେ ମୋତେ ସବୁ ମାଧ୍ୟମ ଭଲଲାଗେ ଅଲଗା ଅଲଗା କାରଣ ପାଇଁ| 

 

ଓଡ଼ିଶା ନ୍ୟୁଜ ଲାଇଭ୍ -  ଆପଣଙ୍କ ଲଖିତ ଏକାଧିକ ବହି ଅନ୍ୟ ଭାଷାରେ ଅନୁବାଦ ହୋଇଛି, ଆପଣ ଓଡ଼ିଆ ଛଡ଼ା ଅନ୍ୟ ଭାଷାରେ ମଧ୍ୟ ଲେଖନ୍ତି, କିଭଳି ଅନୁଭବ କରନ୍ତି ?

 

ଡ଼. ମୃଣାଳ ଚାଟାର୍ଜି - ଓଡ଼ିଆ ଛଡ଼ା ମୁଁ ଇଂରାଜୀ ଭାଷାରେ ବେଶି ଲେଖେ|ବଙ୍ଗଳା ଲେଖିଛି | ହିନ୍ଦୀ ଜାଣେ| ଗୁଜୁରାଟୀ ପଢ଼ିପାରେ| ସବୁଠୁ ସ୍ବଚ୍ଛନ୍ଦ ମୁଁ ଓଡ଼ିଆରେ| ତେଣୁ ସୃଜନାତ୍ମକ ଲେଖା ବେଶି ଓଡ଼ିଆରେ ଲେଖେ| ଆକାଡ଼େମିକ୍ ଲେଖା ବେଶି ଇଂରାଜୀରେ ଲେଖେ| 

 

ଓଡ଼ିଶା ନ୍ୟୁଜ ଲାଇଭ୍ - ଭାରତୀୟ ଜନସଂଚାର ସଂସ୍ଥାନ,ଢ଼େଙ୍କାନାଳର ମୁଖ୍ୟ ଭାବେ ଆପଣ କାର୍ଯ୍ୟବ୍ୟସ୍ତ ରହିବା ସ୍ୱାଭାବିକ, ତେବେ ଦାୟିତ୍ଵ ସମ୍ପାଦନ ସହ ଆପଣ ଲେଖନ୍ତି କେତେବେଳେ, ମାନେ ଆପଣଙ୍କ ଟାଇମ ମ୍ୟାନେଜମେଣ୍ଟର ସିକ୍ରେଟ୍ କଣ?

 

ଡ଼. ମୃଣାଳ ଚାଟାର୍ଜି - ମୋର ସାମାଜିକ ଜୀବନ ବଡ଼ ସୀମିତ| ଘର କଥା ପତ୍ନୀ ବୁଝନ୍ତି| ଆଉ ପଢ଼ିବା, ଲେଖିବା ହିୱ ମୋର ହବି| ତେଣୁ ଲେଖି ହୋଇଯାଏ| ଲେଖିବା ପାଇଁ ମୋର ନିର୍ଦିଷ୍ଟ କୌଣସି ସମୟ ବା ପରିବେଶ ଦରକାର ପଡ଼େନି| 

 

ଓଡ଼ିଶା ନ୍ୟୁଜ ଲାଇଭ୍ -  Digital media-new media technology ଯୁଗରେ ଗଣମାଧ୍ୟମ ଓ ସାମ୍ବାଦିକତାକୁ ଆପଣ କିଭଳି ଦେଖନ୍ତି, ମୋଟାମୋଟି ସୋସିଆଲ ମିଡ଼ିଆ, ସାମ୍ବାଦିକତା କ୍ଷେତ୍ରକୁ ସମୃଦ୍ଧ କରିବାରେ କେତେ ସହାୟକ ହୋଇଛି ବୋଲି ଆପଣ ଭାବନ୍ତି ?

 

ଡ଼. ମୃଣାଳ ଚାଟାର୍ଜି - ଡ଼ିଜିଟାଲ ଦୁନିଆ ଆଉ ସୋସିଆଲ ମିଡ଼ିଆ - ଏ ଦିଟା ଅଲଗା ଜିନିଷ| ଡ଼ିଜିଟାଲ ଟେକ୍ନୋଲୋଜି ଯୋଗାଯୋଗ ବା କମ୍ୟୁନିକେସନକୁ ଅଧିକ ସୁବିଧାଜନକ କରିଦେଲା | ସୋସିଆଲ ମିଡ଼ିଆ ବା ସାମାଜିକ ମାଧ୍ୟମ ହେଲା ଏ ଟେକ୍ନୋଲୋଜିକୁ ବ୍ୟବହାର କରି ବିଶ୍ବବ୍ୟାପୀ ଏକ ଖଟି-ଆସର| ଆଗକାଳରେ ସାମ୍ହାଦିକମାନେ ଯେମିତି ଚା ଖଟିରୁ ପ୍ରାଥମିକ ଖବର ସଂଗ୍ରହ କରୁଥିଲେ, ଏବର ସାମ୍ବାଦିକମାନେ ସେମିତି ସୋସିଆଲ ମିଡ଼ିଆର ଖଟିରୁ ଖବର ଶୁଂଘି ନେଉଛନ୍ତି| ଖଟିରେ ଯେମିତି କିଛି ସତ, ବେଶି ମିଛ- ଏଠି ମଧ୍ୟ ସମାନ କଥା| ଆଗକାଳର କୁଶଳୀ ସାମ୍ବାଦିକ ଯେମିତି ଖଟିରୁ ଖବର ସଂଗ୍ରହ କରୁଥିଲା- ଏବେ ସୋସିଆଲ ମିଡ଼ିଆରୁ ଏବଂ ସୋସିଆଲ ମିଡ଼ିଆକୁ ବ୍ୟବହାର କରି ସେମିତି କରିହେବ| ଅନେକ କରୁଛନ୍ତି| ଆମ ପାଠ୍ୟକ୍ରମରେ ବି ଏହାକୁ ଅନ୍ତର୍ଭୁକ୍ତ କରାଯାଇଛି| 

 

ଓଡ଼ିଶା ନ୍ୟୁଜ ଲାଇଭ୍ - ଓଡ଼ିଆ ଗଣମାଧ୍ୟମରେ ପ୍ରକାଶିତ ଓ ପ୍ରସାରିତ ଖବରର ମାନ ଓ ଶୈଳୀକୁ ନେଇ ଆପଣଙ୍କ ମତ କଣ ?

 

ଡ଼. ମୃଣାଳ ଚାଟାର୍ଜି - ଓଡ଼ିଆ ଗଣମାଧ୍ୟମର ହାରାହାରି ମାନ ଉଣାଅଧିକେ ଅନ୍ୟାନ୍ୟ ଆଞ୍ଚଳିକ ଭାଷାର ଗଣମାଧ୍ୟମ ସହ ସମାନ| ହେଲେ ମୋତେ ଲାଗେ ଗବେଷଣା - ରିସର୍ଚ୍ଚ କ୍ଷେତ୍ରଟିରେ ଆମେ ଟିକେ ପଛୁଆ ରହୁଛୁ| ଗୋଟେ ଖବରର ପ୍ରେକ୍ଷାପଟ ଦେବାରେ , ଖବରଟିକୁ ବୁଝାଇବାରେ ଯେମିତି ଶ୍ରମ କରିବାକୁ ପଡ଼େ- ତାହା ବୋଧହୁଏ ଆମେ କରୁନୁ ବା ବିଭିନ୍ନ କାରଣରୁ କରି ପାରୁନୁ|

 

ଓଡ଼ିଶା ନ୍ୟୁଜ ଲାଇଭ୍ -  ବର୍ତ୍ତମାନ ସମୟରେ ଓଡ଼ିଶା ଗଣମାଧ୍ୟମ ପାଇଁ ଚ୍ୟାଲେଞ୍ଜ କ'ଣ, ଏହାର ଭବିଷ୍ୟତକୁ  କିଭଳି ଦେଖନ୍ତି?

 

ଡ଼. ମୃଣାଳ ଚାଟାର୍ଜି - ଓଡ଼ିଆ ଗଣମାଧ୍ୟମ କ୍ଷେତ୍ରରେ ବେଶ କେତେଗୁଡ଼ିଏ ଚାଲେଞ୍ଜ ରହିଛି| ଏ ବିଷୟରେ ମୁଁ ମୋର, ଓଡ଼ିଶାରେ ଗଣ ସାମ୍ବାଦିକତାର ଇତିହାସ -ବହିରେ ଗୋଟେ ପୁରା ଅଧ୍ୟାୟ ଲେଖିଛି| ପ୍ରଥମ ଚାଲେଞ୍ଜ - ହେଉଛି ଏଥିରେ କାମ କରୁଥବା ଲେକଙ୍କ ଅର୍ଥନୈତିକ ଓ ସାମାଜିକ ସ୍ଥିତି ଓ ମାନ୍ୟତାରେ ଅଭିବୃଦ୍ଧି| ଏ କ୍ଷେତ୍ରରେ ଦରମା କମ୍| ଚାକିରିର ସୁରକ୍ଷା ପ୍ରାୟ ନାହିଁ| ତେଣୁ ଏହାକୁ ପେଶା କରିନେବା ପାଇଁ ଭଲ ପିଲାମାନେ ଆଗ୍ରହୀ ହେଉନାହାନ୍ତି| ସାମ୍ବାଦିକତାର ଆକର୍ଷଣରେ ଯେଉଁମାନେ ଏ ପେଶାକୁ ଆସୁଛନ୍ତି, କିଛି ବର୍ଷପରେ ସେମାନଙ୍କ ମଧ୍ୟରୁ ଅନେକଙ୍କ ଭିତରେ ଏକ ପ୍ରକାର ହତାଶା ଦେଖାଯାଉଛି| ଏହା ଏକ ସିନିସିଜମ୍ ବା କୁଟିଳତାକୁ ଜନ୍ମ ଦେଉଛି| 

 

ଦୁଇ- ଗଣମାଧ୍ୟମ ଏକ ଇଣ୍ଡଷ୍ଟ୍ରୀ| ଯେକୌଣସି ଇଣ୍ଡଷ୍ଟ୍ରୀର ଉନ୍ନତି ଗୁଡ୍ ପ୍ଲେଆରଙ୍କ ଉପରେ ନିର୍ଭର କରେ| ଏ ଶିଳ୍ପରେ ବେଶ୍ କିଛି ବ୍ୟାଡ଼ ପ୍ଲେଆର ବିଭିନ୍ନ କାରଣରୁ ପଶି ଆସିଛନ୍ତି|

 

ତିନି- ମୋତେ ଲାଗେ ଓଡ଼ିଶା ସହ ସମଗ୍ର ଭାରତର ଗଣମାଧ୍ୟମରେ ଅତ୍ୟଧିକ ଲୋକ ଓ ସଂସ୍ଥା ପଶି ଆସିଛନ୍ତି| ଓଡ଼ିଶାରେ ମିଡ଼ିଆ ଇଣ୍ଡଷ୍ଟ୍ରୀର କ୍ୟାରିଂ କାପାସିଟି ଯେତେ ତାଠୁଁ ବହୁତ ଅଧିକ ପ୍ଲେଆର ପଶି ଆସିଛନ୍ତି| ତେଣୁ ପ୍ରତିଦ୍ବନ୍ଦିତା ଅତ୍ୟନ୍ତ ତୀବ୍ର| ଏପରି ଅବସ୍ଥାରେ ଗଣମାଧ୍ୟମର ବିଷୟବସ୍ତୁ ହଟଚମଟକାରୀ, ଅତ୍ୟଧିକ ମନୋରଂଜନଧର୍ମୀ ହେବାକୁ ବାଧ୍ୟ| 

 

ଓଡ଼ିଶା ନ୍ୟୁଜ ଲାଇଭ୍ -  ସାମ୍ବାଦିକତା ଶିକ୍ଷାଗ୍ରହଣ କରୁଥିବା ଓ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ଆପଣ କଣ ଉପଦେଶ ଦେବେ ?

 

ଡ଼. ମୃଣାଳ ଚାଟାର୍ଜି - ମୁଁ ଦୁଇଟି ପରାମର୍ଶ ଦେବି| ଏକ - ଅଧିକ ପଢ଼ନ୍ତୁ, ଅଧିକ ଜାଣନ୍ତୁ| ଦୁଇ- ନିଜର ଶିଶୁ-ପରି କୌତୁହଳୀ ମନଟିକୁ କେବେ ସବଜାନତା-ବୁଢ଼ା ହେବାକୁ ଦିଅନ୍ତୁନି| 

 

ଓଡ଼ିଶା ନ୍ୟୁଜ ଲାଇଭ୍ -  ଆପଣଙ୍କ ଜୀବନର ସବୁଠୁ ସ୍ମରଣୀୟ ମୁହୁର୍ତ୍ତ ଓ ଖଟାମିଠା କିଛି ଖାସ୍ ଅନୁଭୂତି ଓଡ଼ିଶା ନ୍ୟୁଜ୍ ଲାଇଭର ପାଠକଙ୍କୁ କହିବେ କି ?

 

ଡ଼. ମୃଣାଳ ଚାଟାର୍ଜି - ସବୁଠୁ ସ୍ମରଣୀୟ ମୁହୂର୍ତ୍ତଟି କଣ - ସେକଥା ନିର୍ଧାରଣ କରିବାର ସମୟ ବୋଧହୁଏ ଏବେବି ଆସିନି| ତେବେ ହଁ - ବେଶ୍ କିଛି ମୁହୂର୍ତ୍ତ ସବୁଦିନ ପାଇଁ ମନେ ରହିବ| ଆଇଆଇଏମସିରେ ଯୋଗଦେବାର ମୁହୂର୍ତ୍ତ, ମୋ ପୁଅ ଜନ୍ମ ହେବାର ମୁହୂର୍ତ୍ତ, ଆମ ପରିବାର ଗୋଟେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲୁ- ସେ ମୁହୂର୍ତ୍ତ- ଏମିତି ବେଶ କିଛି ସୁଖର ଦୁଃଖର ସ୍ମୃତି ସବୁଦିନ ପାଇଁ ମନେ ରହିବ| 

 

ଓଡ଼ିଶା ନ୍ୟୁଜ ଲାଇଭ୍ -  ଶେଷ ପ୍ରଶ୍ନ, ଯଦିଓ ଏହା ବ୍ୟକ୍ତିଗତ ତେବେ ଉତ୍ତର ଦେବାକୁ ଉଚିତ ମଣିଲେ ଜାଣିବାକୁ ଚାହିଁବୁ, ବଙ୍ଗଳା ମାତୃଭାଷା, ପଂଶ୍ଚିମବଂଗ ମାତୃଭୂମି ଏବଂ ଓଡ଼ିଶା କର୍ମଭୂମି। ପ୍ରିୟ କିଏ? 

 

ଡ଼. ମୃଣାଳ ଚାଟାର୍ଜି - ପ୍ରିୟ ତ ଉଭୟ| ହେଲେ ପ୍ରିୟତର ହେଲା ଓଡ଼ିଶା| ମାତୃଭୂମି ପାଇଁ ମନରେ ଗୋଟେ ନଷ୍ଟାଲଜିକ୍ ଫିଲିଂ ଅଛି| ମାତୃଭାଷାରେ କଥା ହେବା ପାଇଁ, ଗୀତ ଶୁଣିବା, ଗପ ପଢ଼ିବା ପାଇଁ ବେଶ୍ ଭଲ ଲାଗେ| କିନ୍ତୁ କର୍ମଭୂମି ମୋତେ କେବଳ ଖାଦ୍ୟ, ପୋଷାକ ଆଉ ବାସସ୍ଥାନ ନୁହେଁ, ଗୋଟେ ପରିଚିତି - ଉର୍ଦ୍ଧ୍ବରେ ଯାହାକୁ କୁହନ୍ତି ୱଜୁଦ୍- ଦେଇଛି| ତେଣୁ କର୍ମଭୂମି ପ୍ରତି ମୁଁ ଅଧିକ କୃତଜ୍ଞ| ହେଲେ ଓଡ଼ିଶା ପ୍ରତି ମୋର ଭଲପାଇବା କେବଳ କୃତଜ୍ଞତା ବଶତଃ ନୁହେଁ| ଓଡ଼ିଶାର ମାଟି, ପାଣି, ପବନ, ଭାଷା, ସଂସ୍କୃତି ମୋ ଶିରାପ୍ରଶିରାରେ ମିଶିଯାଇଛି| ଯେତେବେଳେ ପୁର୍ନଜନ୍ମର କଥା ଉଠେ, ମୁଁ ସବୁବେଳେ କହେ, ଆରଜନ୍ମରେ ମୁଁ ଏଇଠି ନିମଗଛ ହୋଇ ଜନ୍ମହେବି ଆଉ ମୋରି ଦେହରୁ ଜଗନ୍ନାଥଙ୍କ ନବକଳେବର ହେବ|

 

 

ଓଡ଼ିଶା ନ୍ୟୁଜ ଲାଇଭକୁ ଆପଣ, ଆପଣଙ୍କର ବହୁମୂଲ୍ୟ ସମୟଦେଇଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଓ ଆଗାମୀ ଭବିଷ୍ୟତ ପାଇଁ ଅନେକ ଅନେକ ଶୁଭକାମନା

footer
Top